ଉଠ କଙ୍କାଳ

 

 

 

 

 

 

 

 

 

 

ଉଠ କଙ୍କାଳ

ଗୋଦାବରୀଶ ମହାପାତ୍ର

 

ଆମ ଓଡ଼ିଆ ସାହିତ୍ୟର ଇତିହାସରେ ଯେଉଁ କେତେଜଣ ମୁଷ୍ଟିମେୟ ସାହିତ୍ୟିକ ନିଜର ଜୀବଦ୍ଦଶା ଭିତରେ ଜନଜୀବନକୁ ଗଭୀର ଭାବରେ ଆନ୍ଦୋଳିତ କରିପାରିବାର ସାମର୍ଥ୍ୟରେ ଗୌରବାନ୍ଵିତ ହୋଇଛନ୍ତି, ସେମାନଙ୍କ ଭିତରେ ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର ଅନ୍ୟତମ କେବଳ ନୁହନ୍ତି, ସ୍ଵକୀୟ କୃତିତ୍ଵର ଔଜ୍ଜଲ୍ୟରେ ସେ ଅଦ୍ଵିତୀୟ, ଏକଥା ଆଜି ନିଃସନ୍ଦେହ ଭାବରେ ଗୃହୀତ । ଉଭୟ କଥା ଓ କାବ୍ୟ ସାହିତ୍ୟରେ ତାଙ୍କର ଦୃଷ୍ଟିପାତ ଦିଗନ୍ତ ପ୍ରସାରୀ ଏବଂ ବିଷୟବସ୍ତୁ ଓ ସେ ସବୁରି ପରିବେଷଣ, ଏ ଉଭୟରେ ତାଙ୍କର ପରୀକ୍ଷା ବହୁମୁଖୀ ସାଫଲ୍ୟରେ ଉଦ୍ଭାସିତ । କଥା ସାହିତ୍ୟରେ, ଜୀବନ ଓ ସମାଜ ପ୍ରତି ତାଙ୍କର ଆଭିମୁଖ୍ୟ ଯିମିତି ଗଭୀର ବାସ୍ତବଧର୍ମୀ, ବିଶ୍ଳେଷଣରେ ତୀବ୍ର ଓ ତୀକ୍ଷ୍ଣ କାବ୍ୟ କବିତାରେ ତାଙ୍କର ବକ୍ତବ୍ୟ ସିମିତି ଏକ ଅନନ୍ୟସାଧାରଣ ଅଭିବ୍ୟକ୍ତି କୌଶଳରେ ଉଚ୍ଛ୍ଵସିତ ।

 

କଥାକାର ଗୋଦାବରୀଶ ଗରୀୟାନ୍ ନା କବି ଗୋଦାବରୀଶ ଗରୀୟାନ, ସତ କହିବାକୁ ଗଲେ, ଏ କଥାର ମୀମାଂସା ସହଜରେ ହେବା ସଂଭବପର ନୁହେଁ । ବିଶ୍ଳେଷଣ ବୁଦ୍ଧି ଓ ଆବେଗର ଏକ ସମନ୍ଵୟ ହିଁ ଯଦି ମହାନ୍ ସାହିତ୍ୟ ସୃଷ୍ଟି ପାଇଁ ଅନିବାର୍ଯ୍ୟ ହୋଇଥାଏ, ତେବେ ଗୋଦାବରୀଶଙ୍କ ପାଖରେ ସେ ସମନ୍ଵୟ ଏକାନ୍ତ ଅକୃତ୍ରିମ । ଏହି ଅକୃତ୍ରିମତା ତାଙ୍କର କଥାସାହିତ୍ୟ ଓ କାବ୍ୟ କବିତା, ଉଭୟରେ ହିଁ ପ୍ରତିଭାତ । ଇଏ ହେଲା ତାଙ୍କ ସାହିତ୍ୟର ପରିବେଷଣଗତ ବିଶେଷତ୍ଵ । ତା’ପରେ ବିଷୟବସ୍ତୁ ଦିଗରୁ ବିଚାର କଲେ ଗୋଦାବରୀଶ ଯେଉଁ କାରଣରୁ ଏକ ସ୍ଵତନ୍ତ୍ର ଜାତୀୟ ଅଭିନନ୍ଦନ ପାଇବାର ହକ୍‍ଦାର, ତାହା ହେଲା ଏଇ ବିଭ୍ରାନ୍ତ ଏବଂ ମତିଭ୍ରଷ୍ଟ ଯୁଗରେ ତାଙ୍କର ଏକ ବଳିଷ୍ଠ ଏବଂ ଦ୍ଵନ୍ଦ୍ଵହୀନ ଆଭିମୁଖ୍ୟ । ସେ ଆଭିମୁଖ୍ୟ ହେଲା ଗଭୀର ଦେଶପ୍ରେମ, ଜାତୀୟତାବୋଧ ଏବଂ ମାନବିକତାର ଆଭିମୁଖ୍ୟ । ଶାଣିତ ବିଦ୍ରୂପ, ଅବଲୀଳ ବ୍ୟଙ୍ଗ, ସଜଳକାରୁଣ୍ୟ ଏବଂ ବଜ୍ରନାଦ ଆହ୍ଵାନର ଅଜସ୍ର ସୃଷ୍ଟି ଭିତରେ ଉପରୋକ୍ତ ତିନୋଟି ଧାରାର ପ୍ରତ୍ୟକ୍ଷ ବା ପରୋକ୍ଷ ଉପସ୍ଥିତି ସର୍ବଦା ଅନିବାର୍ଯ୍ୟ ଭାବରେ ପରିଦୃଷ୍ଟ । ମହାନ୍ ମନିଷୀ ବାର୍ଣ୍ଣାର୍ଡ଼ଶ କହିଥିଲେ ଯେ “ଯେଉଁ ସମାଜରେ ତାଙ୍କର ଜନ୍ମ, ମୃତ୍ୟୁବେଳକୁ ସେହି ସମାଜକୁ ସେ ଯଦି ଟିକିଏ ବି ଅଧିକ ଉନ୍ନତ ଭାବରେ ଦେଖିନପାରନ୍ତି, ତେବେ ତାଙ୍କର ସମସ୍ତ ସାହିତ୍ୟ-ପ୍ରଚେଷ୍ଟା ବ୍ୟର୍ଥ ।” କେବେହେଁ ପ୍ରକାଶ କରି ନଥିଲେ ବି, ଗୋଦାବରୀଶଙ୍କ ସାହିତ୍ୟିକ ଜୀବନର ପଟ୍ଟଭୂମିରେ ସଚେତନ ଭାବରେ ହେଉ ବା ଅଚେତନ ଭାବରେ ହେଉ, ଏହିଭଳି ଏକ ପବିତ୍ର ଆକାଂକ୍ଷା ବିଦ୍ୟମାନ ଥିବାକୁ ବାଧ୍ୟ ।

 

ଗଦ୍ୟ ଓ ପଦ୍ୟରେ ଖଣ୍ତିଆ ବିଡ଼ିଟିଏଠାରୁ ଆରମ୍ଭକରି କୋହିନୂର ହୀରା ପର୍ଯ୍ୟନ୍ତ; ଏକ ଅବହେଳିତ ଶିଶୁଠାରୁ ଆରମ୍ଭ କରି ସମ୍ରାଟ ପର୍ଯ୍ୟନ୍ତ; ପାହାଚତଳର ଘାସ ଫୁଲଠାରୁ ଆରମ୍ଭକରି ପାରିଜାତ ପର୍ଯ୍ୟନ୍ତ ଗୋଦାବରୀଶଙ୍କର ବ୍ୟାପକ ଚାରଣ ଭୂଇଁ ଭିତରୁ ଉପରୋକ୍ତ ଧାରାର ପ୍ରତିପାଦନ ପାଇଁ ସୁଯୋଗ ଏଇ କ୍ଷୁଦ୍ର ପରିସରରେ ନାହିଁ । ଏ ଭାଷାର ଭବିଷ୍ୟତ ସମାଲୋଚକମାନଙ୍କ ଉପରେ ଏ ଦାୟିତ୍ଵ ନ୍ୟସ୍ତ । ତେବେ ଏଇ ନିର୍ଦ୍ଦିଷ୍ଟ କବିତା ସଙ୍କଳନ ଏଭଳି ଏକ ପ୍ରଚେଷ୍ଟା ପାଇଁ ସବୁଠୁଁ ଭଲ ଉପାଦାନ ବୋଲି ଆମର ବିଶ୍ଵାସ ।

 

‘ଉଠ କଙ୍କାଳ’ କବିତାଟି ଆଜି ଏକ ଜାତୀୟ ଆବାହନୀ ହିସାବରେ ଏ ଦେଶର ସହସ୍ର କଣ୍ଠରେ ସ୍ଵୀକୃତ । କବି ତାଙ୍କର କର୍ମମୟ ଜୀବନ ଯାତ୍ରା ଭିତରେ ଓଡ଼ିଶାର ଏକତା, ବୃହତ୍ତର ଓଡ଼ିଶା ଗଠନ ଭଳି ଜାତୀୟ ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହୋଇ ଆସିଛନ୍ତି । ଆନ୍ଦୋଳନ ଓ ସଂଗଠନ ଭିତରେ ତାଙ୍କର ବ୍ୟକ୍ତିଗତ ଯୋଗଦାନ ଯେତିକି ଭୂମିକା ଗ୍ରହଣ କରିଥାଉ ନା କାହିଁକି, ତାଙ୍କର ମହାନ୍ ଭୂମିକା ସାହିତ୍ୟ କ୍ଷେତ୍ରରେ ଯେଉଁଠାରେ କି ସେ ସହସ୍ର ହୃଦୟକୁ ଉଦ୍‍ବୁଦ୍ଧ କରିବା ଭଳି ଉପାଦାନ ପ୍ରସ୍ତୁତ କରିଛନ୍ତି । ସେ କବି । ତେଣୁ ଲିପିବଦ୍ଧ କରିବାର ଦାୟିତ୍ଵ ତାଙ୍କ ଉପରେ । କିନ୍ତୁ ଯାହା ସେ ଲିପିବଦ୍ଧ କରିଛନ୍ତି, ତାହା ସହସ୍ର ମୂକକଣ୍ଠର ଭାଷା ଏବଂ ସର୍ବୋପରି ଦେଶମାତୃକାର ବିଦଗ୍ଧବାଣୀ । ବିପୁଳ ପ୍ରାଣ ଶକ୍ତିରେ ସିଞ୍ଚିତ ବୋଲି ତାହା ଏତେ ବଳିଷ୍ଠ ଓ ସଜୀବ । ଗୋଦାବରୀଶଙ୍କ ସାହିତ୍ୟର ସମସାମୟିକ ମୂଲ୍ୟ ସଂପର୍କରେ ଭୂମିକା ଦେବା ବାହୁଲ୍ୟ ମାତ୍ର; କିନ୍ତୁ ଏଇଠାରେ ହିଁ ତାଙ୍କ ସାହିତ୍ୟର ଚିରନ୍ତନ ମୂଲ୍ୟ ।

 

‘ଉଠ କଙ୍କାଳ’ ବହିଟିରେ ଦୁଇଟି ବିଭାଗ ରହିଛି । ପ୍ରଥମ ବିଭାଗଟିରେ ଯେଉଁ ଜାଗୃତିର ଆହ୍ଵାନ, ଦ୍ଵିତୀୟ ବିଭାଗ ‘ଶ୍ମଶାନ ତୀର୍ଥ’ରେ ତାର ଗଭୀରତର ପ୍ରତିଷ୍ଠା । କାରଣ ଏ ଜାତିର ମହାମାନବମାନଙ୍କର ଶ୍ମଶାନ ତୀର୍ଥରେ ହିଁ କବି ମୁଖ୍ୟତଃ ନବଜୀବନର ଆଶୀର୍ବାଦ ଲାଭ କରିଛନ୍ତି, ସମଗ୍ର ଜାତିର ପ୍ରତିନିଧି ଭାବରେ । ଗୋଦାବରୀଶଙ୍କ ଏ ଜାତୀୟ କବିତା ସବୁର ଏକତ୍ର ସମାବେଶ ଏହି ପ୍ରଥମ ଏବଂ ଆଜିର ଜାତୀୟ ସଙ୍କଟ ବେଳେ ଏ ଜାତିକୁ ଆତ୍ମବିଶ୍ଵାସ ଓ ଏକତାର ଶକ୍ତିରେ ବଳିଷ୍ଠ କରିବା ଦିଗରେ ଏହା ଯଦି ନିଜର ଭୂମିକା ଗ୍ରହଣ କରିପାରେ, ତେବେ ଲେଖକଙ୍କର ପ୍ରତିଭା ସାର୍ଥକ ହେବ ।

 

ପ୍ରକାଶକ

Image

 

ସୂଚୀପତ୍ର

 

୧.

ଉଠ କଙ୍କାଳ !

୨.

ଦୁର୍ଗ ପଥେ

୩.

ମୋର ଯଉବନ

୪.

ଛନ୍ଦେ ଛନ୍ଦେ

୫.

ନଦୀରୁ ଜନମ ତୋର

୬.

ଜଳରେ ଅନଳ !

୭.

ନବ ବର୍ଷର ଜୟ

୮.

ସମ୍ଭବାମି ଯୁଗେ ଯୁଗେ

୯.

ଦୁର୍ଗର ନିଦ୍ରାଭଙ୍ଗ

୧୦.

ଶିଖି ମନାଇ

୧୧.

ଡାକ ହେ ଥରେ

୧୨.

ଗରଜେ ବଜ୍ର

୧୩.

ବିପ୍ଳବ ପଥେ

୧୪.

କବିର ସୁନିଆଁ

୧୫.

ମୁକୁଟର ପରାଜୟ

୧୬.

ଜମିଦାରର ମୃତ୍ୟୁ

୧୭.

ସ୍ଵାଗତ ଯୌବନ

୧୮.

କୁଞ୍ଜେ କୁଞ୍ଜେ

୧୯.

ନିଷ୍ପେଷିତର ଭଗବାନ

୨୦.

କଙ୍କାଳ ଲୀଳା ଦେଖ କଙ୍କାଳମାଳିନୀ !

୨୧.

ପଛେ ହଟିଯିବ ଭାଇ

୨୨.

ଉତ୍କଳ ମା’ର ସନ୍ତାନ ଆମେ

୨୩.

ଶ୍ମଶାନ

୨୪.

ଅବତର ଦେବୀ

୨୫.

ବାରବାଟୀ ବକ୍ଷେ

୨୬.

ବର୍ଷାର ଜୟଯାତ୍ରା

୨୭.

ଆଶୀର୍ବାଦ

୨୮.

ମୁକୁଟ ଓ କୌପୀନ

୨୯.

ପାଉଚି ଗଭୀର ରାତି

୩୦.

ପାଷାଣୀର ବ୍ୟଥା

୩୧.

ହେ ମୂକ ଦେବତା କହିବ ?

୩୨.

ବାପୁଜୀ

୩୩.

ବାଣୀ ବନ୍ଦନା

୩୪.

ବିଘ୍ନେଶ

୩୫.

ଜନ୍ମାଷ୍ଟମୀ

୩୬.

ଦୁର୍ଗମ ଯାତ୍ରୀ

୩୭.

ମୁକ୍ତିଯାତ୍ରୀ ଗୋପବନ୍ଧୁ

୩୮.

ଖଣ୍ତଗିରି ତଳେ

୩୯.

ଛାତ୍ର ଜାତି

ଶ୍ମଶାନ ତୀର୍ଥରେ

 

 

୧.

ଶ୍ରାଦ୍ଧ ମୋର-ଜୀବନ ଦାନ

୨.

ପୁଣ୍ୟ ଗୋଦାବରୀ

୩.

ତର୍ପଣ

୪.

ମରଣଯାତ୍ରା

୫.

ଦି’ପଦ

୬.

ତା ଚିରାକନା ବକ୍ଷେ ମାଳ

୭.

ପୁଣ୍ୟ ସ୍ମୃତି

୮.

ସବରମତୀର ମହାମାନବର ଚରଣ ତଳେ

୯.

ଫୁଲଟିଏ ଗଲା ଖସି

୧୦.

ଲେନିନ୍

Image

 

ଉଠ କଙ୍କାଳ !

 

ଦୁର୍ଗମ ଗିରି ଦୁର୍ଗ ପ୍ରାଚୀନ ଜୀର୍ଣ୍ଣ ଦୁଆରେ ବସି

ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ—ଜାଗ୍ରତ ପୁରବାସୀ !

ପୃଥ୍ଵୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ

ଖୋରଧାର ଶତ ସର୍‍ଦାର୍ ଶିର କର ଉନ୍ନତତର ।

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

ମେଘାସନ ତଳ ମନ୍ଦ୍ର ନିନାଦ ବାଜେ ଫୁଲଝର ବୁକେ

ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ ।

ସିଂଭୂମି କହେ ମରଣ ଦୁଆରେ ବିଶାଖପାଟଣେ ଚାହିଁ

ସନ୍ତାନ ମୁଖେ ଶ୍ମଶାନ ବୁକେ ପ୍ରାଣ ସଂକେତ ନାହିଁ !

ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ

ସମ୍ଵଲପୁର ସମ୍ଵଳବୀର ଦମ୍ଭ କି ନାହିଁ ଧରେ ?

ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ,

ଶ୍ମଶାନ ଆଜି ମଡ଼ା ଦେଶ ଆଜି ଏହି ସେହି ଉତ୍କଳ !

ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଉଠ କଙ୍କାଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

ନିଜାମ ଭୁବନେ କୁଳବର୍ଗର ଅର୍ଗଳ ଏଡ଼ି ଦିନେ

ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ,

ଦୁର୍ବାର ଗଡ଼, ‘ଦେବରକୋଣ୍ତା’ କହେ ଆଜି ସେହି କଥା

ବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା,

ଛିଡ଼ୁ ଶୃଙ୍ଖଳ, ଜାଗ କଙ୍କାଳ, ଉଠ ଦୁର୍ବାର ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

ଖଣ୍ତାକୁଶଳ ଖଣ୍ତାୟତର ଦୁର୍ବାର କରବାଳେ

ଅଜେୟ ବଙ୍ଗ ବାହିନୀ ଶୋଇଲେ ଶତ ଗଡ଼ ପ୍ରାନ୍ତରେ ।

ଗଉଡ଼ ଭୁବନ ହେଲା ପଦାନତ ମଗଧ ପାଇଲା ଲୀନ

ପ୍ରତାପୀ ପୁଷ୍ପମିତ୍ର ହଟିଲା ଦେଇ ଉତ୍କଳେ ରଣ ।

ଜାଗ କଙ୍କାଳ, ଜାଗ କଙ୍କାଳ, ଜାଗ କଙ୍କାଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

କଥା କହ, କଥା କହ କଙ୍କାଳ ! ସେ କେତେ ଯୁଗର କଥା

ହିମାଚଳ ତଳେ ଟେକିଥିଲା ଯେବେ ଏ ଜାତିର ବୀର ମଥା

ବିଜୟୀ ବିଜୟନଗର ମାଗିଲା ଶରଣ ଚରଣ ତଳେ

‘ବାହାମନୀ’ ପତି ଯବନ ଶମନ କାତରେ ଲୁଚିଲା ଘରେ ।

ଉଠ କଙ୍କାଳ, ଉଠ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ ଆଜି

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

ହାଡ଼ ପାଶୁ ଆଜି ଭାଷା ବହି ଆସୁ, ଫୁଟୁ ମଡ଼ାମୁଖେ ହସ

ଭଗ୍ନ ଏ ଗଡ଼ ମନ୍ଦିରେ ଶୁଭୁ ଦୁନ୍ଦୁଭି ଅହର୍ନିଶ ।

ଶ୍ମଶାନ ଧୂଳି ଅଞ୍ଜଳି ଭରି ନିଅ ପୁରବାସୀ ଜନ

ଲକ୍ଷ ଜୀବନ ସାକ୍ଷ୍ୟ ଦେବ ସେ ଗୌରବେ ମହୀୟାନ !

ଉଠ କଙ୍କାଳ, ଭେଦି ମହାକାଳ ଜାଗ ଦୁର୍ବଳ ଆଜି,

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

 

ବେଳ ନାହିଁ, ବେଳ ନାହିଁ କଙ୍କାଳ ! ଟେକ ଚଞ୍ଚଳ ମଥା

ବିଦାରି ଉପଳ ନିର୍ମଳ ତବ ପିଞ୍ଜରୁ ଉଠୁ ବ୍ୟଥା ।

ବାଜି ଉଠୁ ବାରେ ମରଣବିଜୟୀ ବଂଶୀ ସେ ବୁକୁତଳେ

ଧୂର୍ଜ୍ଜଟି ଜଟାଜୁଟ କମ୍ପାଇ ଯୌବନ କୁତୂହଳେ ।

ଉଠ କଙ୍କାଳ, ଉଠ ଦୁର୍ବଳ, ଜାଗ କଙ୍କାଳ ଆଜି,

ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ।

Image

 

ଦୁର୍ଗ ପଥେ

 

ଶତ ଯୁଗ ପୁଞ୍ଜିତ ଘନ ଘୋର ଅନ୍ଧାରେ

ପଥ କାହିଁ ପଥ କାହିଁ ଯାତ୍ରୀ

ବିକଟ ଏ ଶ୍ମଶାନେ ମଡ଼ା ବୁକେ ପାଦ ମୋର

ବାଜି ଥରେ ବଧିରା ଧରିତ୍ରୀ ।

ବିଦ୍ୟୁତ କମ୍ପନ ସଙ୍ଗେ

ରକ୍ତ ଚମକେ ପ୍ରତି ଅଙ୍ଗେ

ମନ ପଟେ ଖେଳେ ମୋର ଲୁପ୍ତ ସେ ଜଗତର

ବ୍ୟଥା କେତେ ତଟିନୀ ତରଙ୍ଗେ ।

 

ପଦେ ଦଳି କଣ୍ଟକ ଶିରେ ବହି ବଜ୍ର

ଗଲେ ସମରାଙ୍ଗନେ ସଧୀରେ

ଲେଖି ସେ ମରଣ ନାମେ କେତେ ଅମରଣ ଗୀତି

ଉତ୍କଳ ସନ୍ତାନ ରୁଧିରେ,

ଦୁର୍ବାର ପାରାବାର ପାରେ ସେ

ଗିରି ଦୁର୍ଗମ ପଥେ ହରଷେ

ଗଲେ ବୀର ଏହି ପଥେ ବିଶ୍ଵ ବିଜୟ ରଥେ

କେତେ ଯୁଗ କେତେ ଶତ ବରଷେ ।

 

କେତେ ଉତ୍କଳ ବାଳା ମୁକୁଳିତ କୁନ୍ତଳ

ବାନ୍ଧିଲେ ବୀରେ ଏହି ଦୁଆରେ

ଅସୀ ମୁନେ ଅରି ବୁକୁ ତପ୍ତ ରୁଧିର ଧାରେ

ରଞ୍ଜିତ କରି କର ଯୁଗଳେ ।

ଦେଲେ କୁଙ୍କୁମ ଭାଲେ ମିଶାଇ

ଉନ୍ମାଦ ଚୁମ୍ଵନ; ହସାଇ

ଦେଲେ ଅନ୍ତରେ ଆଣି ମୁକ୍ତି ମଧୁର ବାଣୀ

ରଣ ଝନ୍ ଝନ୍ ତାନେ ଭସାଇ ।

 

ଏ ଯେ ମାଟି ଗଦା ତଳେ ଉତ୍କଳ ଶିରା ଥରେ

ଏ ପଥର ତଳେ ଖେଳେ ଜୀବନ

ଧରି ଧୂଳି ମୁଠେ ଭାଇ, ଚିପୁଡ଼ିଲେ ପଡ଼େ ବୋହି

କି ଶୋଣିତ ! ଥରଇ ମୋ ମରମ !

ପ୍ରେତ କହେ କଥା କାନେ କାନେ ରେ

ନିର୍ମମ ନିଷ୍ଠୁର ଗାନେ ରେ-

ମୁକ୍ତିର ତୋରଣ ଏ ଶାନ୍ତିର ମରଣ ଏ

ଗାଏ ମହାକାଳ ତାନେ ତାନେ ରେ ।

 

ଡାକ ଏଠି ଦୁର୍ବଳ, ଏ ମରଣ କୋଳାହଳ

ଭେଦିଯିବ ଡାକ ନୀଳ ଗଗନେ,

ଡାକ ଡାକ ନିଃସ୍ଵ ଚମକାଇ ବିଶ୍ଵ

ଡାକ ଆଜି ଦୁର୍ଦ୍ଦିନ ଲଗନେ ।

ଶ୍ମଶାନ ପୂଜାରୀ କେ ଆସରେ

ଏ ନିବିଡ଼ ନିର୍ଜନ ବାସରେ

ଜାତିର ଏ ଶମଶାନେ ବୀର ରଣ ପ୍ରାଙ୍ଗଣେ

ନାଚ କାପାଳିକ କୁଳ ବେଶରେ ।

 

ଶ୍ୟାମଳ ସୁକୋମଳ ଦୁର୍ବା ଚରଣେ ଦଳି

ଯାଆନାରେ ଯାତ୍ରୀ ତୁ ଗରବେ,

ଏ ଜାତିର ସମ୍ଵଳ ଦୁର୍ମଦ ବୀରକୁଳ

ଆତ୍ମା ଶୋଇଛି ଏଠି ନୀରବେ ।

ଅବନତ ଜୟବାନା ଆଜି ରେ

ସୌଧ ମିଶିଛି ତଳେ ଭାଜି ରେ,

ଅଛି ରଣ ସଙ୍ଗୀତ ବିପ୍ଳବ ଇଙ୍ଗିତ

ଚିତ୍ରୋତ୍ପଳା ବୀଚି ରାଜି ରେ ।

 

ଯୌବନ ଭକ୍ତ ! ଲୋଡ଼ା ଏଠି ରକ୍ତ

ଲୋଡ଼ା ଏଠି ଆଜି ମନ ବେଦନା

ନୁହ ଲୋଡ଼ା ଦୁର୍ବଳ, ଭୀରୁ କାପୁରୁଷ ଦଳ,

ଲୋଡ଼ା ଏଠି ଧୂର୍ଜଟି ସାଧନା ।

ଡିବି ଡିବି ଡମ୍ଵରୁ ବାଜେ ରେ

ମୃତ୍ୟୁ ବିଜୟୀ ବୀର ସାଜେ ରେ,

ଦୂରେ, ପାଶେ, ଅନ୍ତରେ ଯଉବନ ମନ୍ତରେ

ବନ୍ଧନ ବାଧା ଯେତେ ଭାଜେ ରେ ।

 

୧୯୨୯

Image

 

ମୋର ଯଉବନ

 

ଜୀବନର ମୋର ମରଣ-ମଧୁର ପଥେ

ଯଉବନ ! ଆଜି ବରଣ କରୁଛି ତତେ,

ତୋହରି ସାହସେ ଅକୂଳେ ଦେଉଛି ଚାଳି

ସୁଦୂରର ମୋର ଆକୁଳ-ବାସନା-ତରୀ ।

 

ଜାଣୁଛି, ଭେଟିବି ଗଭୀର ଝଞ୍ଜା ରାଶି

ସଚକିତ ମୋର ତରଣୀ ନାଚିବ ଭାସି ।

ପରଶିବ ମୋର ଅଳକେ ବଜ୍ର-କର

ଶଂକିତ କରି ତରୁଣ-କୁଞ୍ଜ-ପୁର ।

 

ସେଦିନ ଏ ମୋର ଭଗ୍ନ କୁଟୀରେ ଥାଇ

କରୁଣ ମରମେ ଉଜାଣି ଆଣିବ ବୋହି ।

ଆଣିଥିବ ତବ କପୋଳେ ଅଗ୍ନିଶିଖା—

ନବ ଅଭିସାରେ ତରୁଣ-ଭୀଷ୍ମ-ଲେଖା ।

 

ରଜନୀ ତିମିରେ ଦୁର୍ବାର ଆଶା

ପଥ ବା ଭୁଲିବ ଲବେ

ବ୍ୟଥିତ ନୟନୁ ଅଶ୍ରୁ ଖସିବ

ସଙ୍ଗୀବିହୀନ ଭବେ,

ମରୀଚିକା ଅବା ପାଗଲ-ଜ୍ୟେଷ୍ଠ-ମାସେ

ବାରଣ କରିବ ପଥ ମୋ କ୍ଳାନ୍ତ ବେଶେ,

ତହିଁ, ମାନିବ ନାହିଁ ସେ ମନା ତାର ଯଉବନ !

ସେ ଦିନ ତିମିରେ ଚାଲିବ ସୁଦର୍ଶନ ।

 

ଚପଳ ଏ ମୋର ବୁକୁରେ ପାଷାଣ ଛାଇ

ସନ୍ନ୍ୟାସୀ କରି ଛାଡ଼ିଦେବ ମୋତେ ତହିଁ ।

ହାସ ଝର ଝର ପୂର୍ଣ୍ଣମୀ ଅବସରେ

ଶୋଇବା ପଡ଼ିବି ତମାଳ କୁଞ୍ଜ ତଳେ,

କଳ କଳ ଖେଳେ ଯମୁନା ପୁଳିନେ ବସି

ଆନ ଆଶେ ଅବା ପୁହାଇ ଦେବି ମୋ ନିଶି-

ତହିଁ, ବିକଟ ହାସ୍ୟେ ପିଞ୍ଜରା ମୋର ଚିରି

ଶୁଣାଇବ ତବ ଉଦ୍ଦାମ-ରଣଭେରୀ ।

ଚମକି ନାଚିବ ତନ୍ତ୍ରୀ ମୋ ଅନିବାର

ଗଳାରେ ଝୁଲାଇ ମରଣ-ବରଣ-ମାଳ ।

Image

 

ଛନ୍ଦେ ଛନ୍ଦେ

 

ଛନ୍ଦେ, ଛନ୍ଦେ, ସୁପ୍ତ, ଅବନତ,

ରୁଦ୍ର, କ୍ଷୁଦ୍ର, ଶୂଦ୍ର, ସୁମହତ,

ବିଦ୍ରୋହୀ, ରଣଜୟୀ, ପାଗଲ ହେ

ଉଠ ନବ ଯୁଗ ନବ ମନ୍ତରେ ।

ଆଜି, ଉନ୍ମଦ କମ୍ପିତ ଆହ୍ଵାନ ଏ,

ଚିର ଶୃଙ୍ଖଳ ଶଂକିତ ପଥ ନଚାଏ

ଧ୍ଵଂସ ବିଭାମୟ ଉଚ୍ଛ୍ଵାସେ,

ଉଠ ନବ ଯୁଗ ନବ ମନ୍ତରେ ।୦।

 

ଆଜି, ଝଞ୍ଜା ଆସୁ ମାଡ଼ି ଝଙ୍କାରେ,

ଲଞ୍ଜା ଉଠୁ ହସି ନଭ କୋଳେ

ବଜ୍ରତୁଲେ ମିଶି, ପଡ଼ୁ ବିଦ୍ୟୁତ ଖସି

ବିଦ୍ରୋହୀ ମନ ନାଚୁ ଉତ୍ତାଳେ

ତାଳେ ତାଳେ, ଘନ ମାଳେ, ଗ୍ରହଦଳେ ଅବହେଳେ

ଉଠ ନବ ଯୁଗ ନବ ମନ୍ତରେ ।

 

ରୁଦ୍ର ତବ ଚିର ସାରଥୀ,

ରଣେ ଡମ୍ଵରୁ, ଆଜି ନାଚେ ତନ୍ତ୍ରୀ

ବନ୍ଧନ ଲୁଚେ ତ୍ରାସେ, ଉଲ୍‍କା ପାଗଳ ବେଶେ,

ଉଠ ଧୂର୍ଜଟି ଲୀଳା କଲ୍ଲୋଳେ,

ଅଟ୍ଟ ହାସେ, ବୀରବେଶେ, ରଣ ଦେଶେ, ନବୋଲ୍ଲାସେ,

ଉଠ ନବ ଯୁଗ ନବ ମନ୍ତରେ ।

 

ଘନ ବନ୍ଧୁର ତବ ସମ୍ମୁଖ, ଉଠ ଦୁର୍ବାର, ଉଠ ଉନ୍ମୁଖ

ଉଠ ଦୁର୍ମଦ, ଉଠ ଭୀଷଣ କର୍ମଠ

ସତ୍ୟାଗ୍ରହ ଜଳେ ଅନ୍ତରେ,

ଆଜି, ନାଚୁ ଚିର-କଙ୍କାଳ ଅନ୍ତର ଅବିରଳ

ଉଠ ନବ ଯୁଗ ନବ ମନ୍ତରେ ।

 

୧୯୨୦

Image

 

ନଦୀରୁ ଜନମ ତୋର

 

ପ୍ରଳୟ ପୟୋଧି ଜଳେ ବଟପତ୍ର ବିଳାସ ଶୟନେ

ସୃଷ୍ଟିର ପ୍ରଥମ ସ୍ଵପ୍ନ ଜାଗିଲା ସେ କି ବା ସଂଗୋପନେ ।

ଅନାଦି ଦେବତା ବୁକେ, ଥରି ସିନ୍ଧୁ ଖେଳିଲା ତରଙ୍ଗ

ଗର୍ଜିଲା ଜଳଦ, ଅବା ଦେବତାର ହେଲା ସ୍ଵରଭଙ୍ଗ !

ସେ ଦିନ ଲଭିଲା ଜନ୍ମ ଏଇ ମାଟି, ଏଇ ବସୁନ୍ଧରା,

ଦେବତାକୁ ଲିତେ ତାହା ମନୁଷ୍ୟକୁ ଲକ୍ଷେ ଯୁଗ ପରା !

ସୃଷ୍ଟି ହେଲା ଏ ଧରଣୀ ଖଣ୍ତ ଖଣ୍ତ ବହି ଦେଶ ନାମ-

ଜମ୍ଵୁଦ୍ଵୀପେ ଏ ଭାରତେ ଉତ୍କଳରେ ନୀଳାଚଳ ଧାମ !

ଅକୂଳ ସାଗର ତୀରେ ଖରସ୍ରୋତା ତଟିନୀ ସଙ୍ଗମେ

ଧନ ଧାନ୍ୟ ପୁଷ୍ପେ ଭରା ହେଲା ତାହା ଜନ ସମାଗମେ ।

ନଦୀ ମାତୃକାର ମୁଖେ ବାଜିଲାରେ କେତେ ରଣଭେରୀ

ଇତିହାସ ଆବର୍ତ୍ତନେ ଲୀନ ଏଠି ଦୁର୍ମଦ ବଇରି ।

ବନ୍ୟାର ଏ ମହା କନ୍ୟା ଧରଣୀରେ ଧନ୍ୟା ଏ ଉତ୍କଳ

ପ୍ରସରିଲା ବୁଦ୍ଧବାଣୀ ଗିରି ଶିଖୁ ସାଗର ମେଖଳ ।

ସେ ମହା ଅଶୋକ ଶିଳା ଇନ୍ଦ୍ରପ୍ରସ୍ଥେ କହେ ଆଜି କଥା—

ଅଯୋଗ୍ୟ ସନ୍ତାନ ହାତେ ନିର୍ଯ୍ୟାତିତା ଏ ଉତ୍କଳ ମାତା !

ଏତେ ଯୁଗ ପରେ ଆଜି ସୃଷ୍ଟି ପରା ଭଜଇ ପ୍ରଳୟ

କ୍ଷମତାରେ ନବ ସୃଷ୍ଟି କରେ ମନ୍ତ୍ରୀ ଲଭି ବରାଭୟ ।

ହେବ ଶୂନ୍ୟ ଜନପଦ-ପୁରପଲ୍ଲୀ ଗ୍ରାମ ପଥ ଯେତେ

ଉଦ୍ଭାସିତ ହେବ ଦେଶ ଏ ପଙ୍କିଳ ମହାନଦୀ ସ୍ରୋତେ ।

ସୀମାନ୍ତ ବିପଦ ଆସେ, ଡାକି କହେ ଅବାଚୀ ଉଦିଚୀ

ହେ ନଦୀମାତୃକା ମୋର, ସିନ୍ଧୁ ଗର୍ଭେ ଯାଅ ବେଗେ ଲୁଚି ।

ନଦୀରୁ ଜନମ ତୋର, ମୃତ୍ୟୁ ଆଜି ନଦୀ ସ୍ରୋତେ ହେଉ-

କାହାର ଏ ଆଶୀର୍ବାଦ ହେ ଜନତା ତୋର ଆତ୍ମା କହୁ !

 

ଅକ୍ଟୋବର-୧୯୫୫

 

୧୯୫୫ର ପ୍ରଳୟଙ୍କରୀ ବନ୍ୟା ପରେ ଭାରତର କେତେକ ତୁଙ୍ଗନେତାଙ୍କ ମତ ପ୍ରକାଶପାଇଲା ଯେ ଓଡ଼ିଶା ଏକ ନଦୀ ମାତୃକା ଦେଶ, ବନ୍ୟା ସ୍ଵାଭାବିକ ।

Image

 

ଜଳରେ ଅନଳ !

 

ହେ ଅଗ୍ନି, ହେ ଜାତବେଦ, ବୈଶ୍ଵାନର, ପବିତ୍ର ପାବକ,

ଜଳ ଆଜି ଜଳ ତୁମେ ଏ ବୁକୁରେ ହୋଇ ଦକ ଦକ !

ତୁମରି ପୂଜାରୀ ଆଜି ଡାକେ ବସି ଏ ଜାତି ଶ୍ମଶାନେ

ଦେବ ସେ ଆହୁତି ପରା ପାପ ତାପ ବ୍ୟାଧି ତୁମ ହୋମେ !

ଶାସକ ନିଷ୍ଠୁର ଆଜି, ଅବିଚାରୀ ବିଚାରକଦଳ

ଧରିଛନ୍ତି ଟେକି ଏ କି ସତ୍ୟ ନାମେ ମିଥ୍ୟା କରବାଳ !

ଅନ୍ୟାୟ ଦୁର୍ନୀତି ତାପେ ଭାରାକ୍ରାନ୍ତ ଜନନୀ ଉତ୍କଳ,

ଜଳ ତୁମେ ଟେକି ଶିଖା ହେଲା ବେଳ ହେ ଦିବ୍ୟ ଅନଳ !

ଇତିହାସ ମୂକ ଆଜି, ଭାଷା ତାର କହେ ନାହିଁ କଥା,

ସମାଜ ବନ୍ଧନ ତୁଟେ ଉପୁଜାଇ ପ୍ରାଣେ ଗୁରୁବ୍ୟଥା !

ଲିଭିଯାଏ ଭୂଗୋଳର ସୀମାରେଖା ସ୍ଵାର୍ଥ-ଅନ୍ଧକାରେ,

ଅନ୍ଧ କି ହୋଇଲେ ଖାଲି ସେ ‘କୁଞ୍ଜୁରୁ’, ‘ଆଲି’, ‘ପାନିକରେ’ ।

ଦେଲା କି ଇଙ୍ଗୀତ କିଏ ଇନ୍ଦ୍ରପ୍ରସ୍ଥେ ବସି ସଂଗୋପନେ-

କାଟି ଏଇ ଉତ୍କଳରେ ରଖିବାକୁ କୃତ୍ରିମ ଶାସନେ ?

ନାହିଁ ଯା’ର ପରଂପରା ଇତିହାସ ସଭ୍ୟତାର ମୂଳେ

ରହିବ ସେ ରାଜ୍ୟ ନାମେ, ଏ ଉତ୍କଳ ଯିବ ରସାତଳେ !!

ତୁମେ କି ଅନଳ ଆଜି ହେବ ନାହିଁ ସାହା ଏ ଜାତିରେ ?

ତୁମେ କି ଉଠିବ ନାହିଁ ଏ ପ୍ରାଚୀନ ଓଡ଼ିଆ ଛାତିରେ ?

ତୁମେ କି ଜଳିବ ନାହିଁ ଦାବାନଳ ବେଶେ ଏ ମୁଲକେ

ଉଠିବ ନାହିଁ କି ତୁମେ ହେ ବଡ଼ବା, ମହୋଦଧି ବୁକେ ?

ଛାଡ଼ି ସେ ଅନ୍ଧାର ଘର,—ନୀଳାଚଳ ମନ୍ଦିର ବେଷ୍ଟନୀ,

ସୀମାନ୍ତ ଆଲୋକ କର ଟେକି ଶିଖା ହେ ପାବକ, ବହ୍ନି !

ଭୀଷ୍ମ ତୁମେ ଭସ୍ମକର ନ୍ୟାୟହୀନ କମିଶନ ଲେଖା

ଉତ୍କଳର ଯାତ୍ରାପଥେ ବନ୍ଧୁ ତୁମେ ଏକମାତ୍ର ସଖା !

 

ନଭେମ୍ଵର-୧୯୫୫

 

କଟକର ସାଧାରଣ ସଭାରେ ସୀମା-କମିଶନ ରିପୋର୍ଟ ପୋଡ଼ା ଯାଇଥିଲା ।

Image

 

ନବ ବର୍ଷର ଜୟ

 

ହେ ମୋର ଜାତିର ମୁକ୍ତି ପଥର ପରମ ତରୁଣ ଦଳ

ବନ୍ଦନା କର ଆଜି ଧରଣୀର ଅତିଥି ଚରଣ ତଳ ।

ଦେଖ ତବ ନତ ନେତ୍ର ପଥରେ ଏଇ ଚାଲେ—ଧୀରେ ଚାଲେ…

ବିକଳ ପ୍ରାଚୀନ ବତ୍ସର ଆଜି ମୃତ୍ୟୁର ପର ପାରେ ।

ଏ ନବ ବର୍ଷ ପ୍ରଭାତ ପଥରେ ଧର ହେ କେତନ ଧର,

ହେ ମୋର ଜାତିର ମୁକ୍ତି ପଥର ଅରୁଣ ବରଣ ଦଳ !

ହେଉ ପୁରାତନ କାଲିର ଧର୍ମ, ଗାଉ ବସି ତାରେ କବି,

ହୁଅ ତୁମେ ଆଜି ମୋ ଜାତି ମାନସେ ଉଦୟାଚଳର ରବି ।

ଭେଦି ଏ ସମାଜ ସୀମାପଥ ଆଜି, ତେଜି ଦେଶ ସୀମା ବାରେ

ଚିତ୍ତ ନିକଷେ ନବୀନ ବରଷ ଦିଶେ ସଙ୍କେତ ଗାରେ ।

ତୀର୍ଥଯାତ୍ରୀ ! ଧର ହେ ଧୈର୍ଯ୍ୟ, ବରଣ କରିବ ଜାଣି

ବର୍ତ୍ତମାନର ବର୍ଷ ତଟରେ ଦେବତା ବଜ୍ରପାଣି !!

କେତେ ପୁଷ୍ପିତା କିଶୋରୀ ତନୁରେ ମରଣ ବିହିଲା ଛାଇ,

ବିରହମାନାର ବିଜନ ବାସରେ ବେଦନା ଉଠିଲା କାହିଁ,

ଝାଉଁଳି ପଡ଼ିଲା ଅଧର ରାଗ ସେ କାହାର ଅକାଳେ କାଲି,

ଉଦ୍‍ଗତ ମୁଖ ହେଲା ଅବନତ ସଂସାର ଲୀଳା ଛାଡ଼ି !

ପଥେ ପଥେ କାହିଁ ଚାଲିଗଲେ କେତେ ମରଣ-ଯାତ୍ରୀଦଳ

କରି ଶିରାଘାତେ ଥରିଲା ନିଖିଳ-ଜୀବନ-ବକୁଳ-ତଳ ।

ଅସମ୍ମାନେ ବା ଲୁଚିଲା କାହାର ଗୌରବ ଟିକା ଭାଲେ,

ଶଙ୍ଖ କାହାର ବାଜିଲାନି ବାରେ କମ୍ପତ କରତାଳେ !

ବନ୍ୟା ଯେ ଥିଲା ଆସି ଏ ଦୁଆରେ ଫେନିଳ ଅଟ୍ଟହାସେ

ଝିଲ୍ଲି-ମୁଖରା ପଲ୍ଲି ବିହାରେ ରଚାଇ ମୃତ୍ୟୁ ରାସେ,

ପୁରାତନ ତୁଲେ ବନ୍ଦୀ ସେ ସବୁ, ଗାଅ ହେ ତରୁଣ ଦଳ,

ସନ୍ଧାନ କର ନୂତନ ଭୁବନେ ଶ୍ୟାମଳ କେଦାର ତଳ ।

ବିରଚ ହେ ନବ ମହା ଯୌବନ ଏ ନବ ବର୍ଷେ ଆଜି,

ବିହିବେଟି ବାଣୀ ତବ ସଙ୍ଗୀତେ ନର-କଙ୍କାଳରାଜି ।

ତୁମରି ସ୍ଵତ୍ଵ, ତୁମରି ସତ୍ୟ ହେଉ ଏ ଜଗତମୟ

ନବ ବର୍ଷର ନବ ହର୍ଷର ହେ ଶହୀଦ୍ ଦୁର୍ଜୟ !

 

୧୯୩୧

Image

 

ସମ୍ଭବାମି ଯୁଗେ ଯୁଗେ

 

ବଢ଼େ ଯେବେ ଧରଣୀର ପାପ ତାପ ଭୟ

ସତ୍ୟ ଶାନ୍ତି ଆରାଧନା ଭଜଇ ବିଲୟ

ଡାକେ ଦୁଃଖୀ ତାପୀ ଜନ ନୀର ନେତ୍ରୁ ଢାଳି

‘ସମ୍ଭବାମି ଯୁଗେ ଯୁଗେ’ ନର ରୂପ ଧରି ।

 

ସହେ ପଦାଘାତ ଯେବେ ନ୍ୟାୟ ମହୀତଳେ,

ପ୍ରବଳର ତାପେ ଡାକେ ଦୁର୍ବଳ ବିକଳେ

ଅନାଚାରେ ସାଧୁକୁଳେ ପଥ ନାହିଁ ମିଳେ

‘ସମ୍ଭବାମି ଯୁଗେ ଯୁଗେ’ ଏଇ ମହୀ ତଳେ ।

 

ଛଳ, ପ୍ରବଞ୍ଚନା ଜାଲେ ଛନ୍ଦିହେଲେ ଧରା,

ମାନବ ହୁଅଇ ଯେବେ ମାନବକୁ ଭାରା

ପାପ ବିନାଶନେ ପୁଣି ସତ୍ୟ ବିତରଣେ

‘ସମ୍ଭବାମି ଯୁଗେ ଯୁଗେ’ ଏଇ ଧରାଧାମେ ।

 

ହେଲେ ଭ୍ରାତୃ ବିବାଦରେ ନରକୁଳ ଲିପ୍ତ

ନର ରକ୍ତେ ନର କର ହୋଇଲେ ରଞ୍ଜିତ

 

 

ସତ୍ୟ ଆରାଧନା ପୂଜା ପଥ ଗଲେ ଭୁଲି

‘ସମ୍ଭବାମି ଯୁଗେ ଯୁଗେ’ ନର ରୂପ ଧରି ।

 

ଫେବୃୟାରୀ-୧୯୪୮

ମହାତ୍ମାଗାନ୍ଧୀଙ୍କ ମୃତ୍ୟୁରେ

Image

 

ଦୁର୍ଗର ନିଦ୍ରାଭଙ୍ଗ

 

କେତେ ଯୁଗ ପରେ ଦିନେ,

କେଶରୀ ଯୁଗର ଦୁର୍ଗ ଗୋଟିଏ ଜାଗିଲା ଆପଣା ମନେ ।

ବୁକୁ ପରେ ତାର ରୁଦ୍ର ଉଦାର ବଟ ତରୁ ଥିଲା ବସି,

ପାଷାଣ ଦୁଆରେ ଶିଉଳୀ ମାଳିକା ଲିପି ଦେଇଥିଲେ ମସୀ ।

କଙ୍କର ଗୋଡ଼ି ଏଣେ ତେଣେ ପଡ଼ି କ୍ଷତ କରିଥିଲେ ତନୁ,

କାହିଁ ମାଟି ଖାଇ ରହିଥିଲା ଯାଇ ଖଡ଼ଗ ପରଶୁ ଧନୁ ।

ଦେବ ମନ୍ଦିରେ କାହିଁ

ଦେବ ଅର୍ଚ୍ଚନା ସଙ୍ଗୀତ ତାନ ନଥିଲେ ଜୀବନେ ରହି ।

ଥରୁଥିଲା ଥର ଥର,

ଭଗ୍ନ ପାଷାଣ ଇଟା ତଳେ ତଳେ କ୍ଷୀଣ ନାଡ଼ି ଅବିରଳ ।

ମାଜଣା ପୋଖରୀ ଘାଟେ ପାଟ ଦେହେ ନ ଥିଲେ ନଅର ବାଳା,

ନଅର ଚନ୍ଦ୍ରଶାଳେ ଖସିପଡ଼ି ନଥିଲା ବଉଳ ମାଳା ।

ନ ଥିଲା କନକ ରଜତ ଭୂଷଣ, ନ ଥିଲେ କେ ପୁରଜନ,

ଚାରିପାଖେ ବନ ଘୋର ନିର୍ଜନ—ସତେଅବା ଶମସାନ !

ଖାଲି ବହୁଥିଲା ନଈ

କେତେ ଯୁଗୁ ସେ ଯେ କି ଦୂର ଲକ୍ଷ୍ୟେ ଗୋପନ ବାରଣ କହି ।

ନୟନ ମେଲାଇ ଦେଖିଲା ଦୁର୍ଗ ରହିଛି ଉପରେ ନଭ,

ତଳେ ତାର ମାଟି ହୋଇଛି ସକଳ ଜୀବନର ଗଉରବ ।

ତାହାରି ପୁରୁଣା ତପନ ଯାଉଛି ହସି ତା ଉପରେ ଚାଲି,

ହେଲେ ବିଭାବରୀ ଗୋଟି ଗୋଟି କରି ତାରା ଆସନ୍ତି ଖାଲି ।

କାହାଠୁ ଶୁଣିବ କଥା ?

ବୁଝି ନ ପାରଇ ଦୁର୍ଗ ସେ ପରା, ଗଭୀର ତାହାର ବ୍ୟଥା ।

ନୀରବ ତାହାର ମର୍ମ କାହାଣୀ ଝରଇ ପଥର ତଳେ,

ସ୍ଵପ୍ନ ଭାଜିଲା, ପରାଣେ ରାଜିଲା ବାସନା କି କୁତୂହଳେ !

ତରୁ କହେ ତାରେ-ମୂର୍ଖ କି ହେଲୁ ତୋ ପରେ ଜନମ ମୋର

କହିବି କି ଭଳି ତୋ ଜନମ କଥା ଅଜ୍ଞାନ ତରୁବର !

ପାଷାଣ କହଇ ତହିଁ,

ଦୁର୍ଗ ଜନନୀ ! ଦୁର୍ଗ ଜନନୀ ! କି କଥା କହିବି ମୁହିଁ ?

ଶୁଣିଛି ମୁଁ ବାରେ ଏହି ଅଙ୍ଗନେ ପଦ କିଙ୍କିଣି ତାନ,

ବୀଣା ତୁଲେ କା’ର ପ୍ରାଣ କରୁଥିଲା ଉନ୍ମନ ଯଉବନ ।

କେତେ ଯେ ରଙ୍ଗ ଚରଣ ପରଶି ଗଲେ ମୋର ବୁକେ କାହିଁ,

କାହାର କମ୍ର କର ଲାଗି ଥରୁଥିଲି ମୁଁ ଥାବରଦେହୀ ।

ଆଉ କିଛି ନାହିଁ ଜାଣେ,

ପଡ଼ିଲି ଜୀବନ ସମାଧିରେ ମୋର ଘନ ଅନ୍ଧାର କୋଣେ ।

କାହିଁ ଲେଖାଥିଲା ପ୍ରାଚୀର ପୃଷ୍ଠେ ଚିତ୍ର ମଳିନ ବେଶେ,

ଦୁର୍ଗ ପଚାରେ- ‘ମୋ ଜୀବନ କଥା କହି କି ପାରିବୁ ଲେଶେ ?’

ଚିତ୍ର କହିଲା- ‘ଫାଟିଲା ଯେ ଦିନ ଏ ମୋର ପ୍ରାଚୀର ଛାତି,

ଶୁଖିଛି ମୋହର ସେ ଦିନୁ ଜୀବନ, ବିମଳ ଲୋଚନ ଜ୍ୟୋତି ।’

ବିକଳେ ଊର୍ଦ୍ଧ୍ଵେ ଚାହିଁ,

ପ୍ରାଚୀନ ଦୁର୍ଗ ପଚାରେ ବଉଦେ-‘କହି କି ପାରିବ ଭାଇ ?’

—‘ଜାଣେ ମୁଁ ଏ ତଳେ ଟେକିଥିଲା ଥରେ ପଥରେ ଛାଇ କେ ମଥା,

ଭାଜି ସେ ପଡ଼ିଲା, କହି ମୁଁ ପାରଇ ଏତିକି ମାତ୍ର କଥା ।’

ତପନ କହଇ-‘ମୋ ଆଲୋକ ତଳେ ଯୁଗ ଯୁଗ ଯୁଗ ଧରି,

ଫୁଟଇ ତୁଟଇ କେତେ ତୋହ ପରି, ଲକ୍ଷ୍ୟ ମୁଁ ନାହିଁ କରି ।’

କହେ ତାରା ଅବଶେଷେ

‘ମୋ ପରି ତୁ ଫୁଟି ଉଠିଥିଲୁ ବୋଲି ଏତିକି ମୋ ମନେ ଆସେ ।

ବହୁଥିଲା ନଈ ସଙ୍ଗୀତ ଗାଇ ଦୁର୍ଗ ପଚାରେ ଧୀରେ-

ତୋ ତୀରବାସୀ ମୁଁ ବନ୍ଧୁ ଗୋ, କଥା କହିବୁ କି ମୋରେ ବାରେ ।’

—‘ତୀରେ ତୀରେ ମୋର ତୁମ ପରି ବାର ଶହ ଘର ଅଛି ପଡ଼ି,

ଯାଉଛି ମୁଁ ଖାଲି ଭଙ୍ଗୁର ଦେଶେ ଶାଶ୍ଵତ ଗୀତ ବୋଲି ।’

ନ ଶୁଣି ଜୀବନ କଥା,

ରହିଲା ମୌନେ କେଶରୀ ଦୁର୍ଗ ଅଳସ ନୁଆଁଇ ମଥା ।

କେତେ ଯୁଗ ପରେ ପଥିକ କିଏ ସେ ଆସିଲେ ସେ ପଥେ ଚାଲି,

କହିଲେ—‘ଏ ଦେଶ କନକ ରେଣୁରେ ମାନବେ କହନ୍ତି ବାଲି ।’

ତଟିନୀ ଅଧରେ ବୁଝିଲେ କି ବାଣୀ ଚାହିଁଲେ ଗଗନ ତୀରେ,

ଶୁଭ୍ର କପୋଳେ ମହିମୋଜ୍ୱଳ ଲହରୀ ଖେଳିଲା ହେଳେ ।

କି ବା ସେ ପାଇଲେ ଧନ,

ସଂଧାନ ଅବା ମିଳିଲା କାହାର ଅକୁହା ଗୋପନ ସ୍ଵନ !

ପରଶି ସଧୀରେ ପାଷାଣ ତଳପେ ବାଲିରେ ନୁଆଁଇ ଶିର,

ବଟ ତରୁ ତୀରେ ବିଶ୍ରାମେ ବାରେ ପିଇଲେ ତଟିନୀ ନୀର ।

ବଜ୍ର ଆସିଲା, ଚମକ ପଶିଲା ଭଗ୍ନ ଦୁର୍ଗପୁରେ,

ହସିଲା ତପନ ନିତି ଦିନ ପରି ବଉଦ ଭାସିଲେ ଦୂରେ ।

ଉଠିଲା ମୋହନ ଗୀତି,

ପଥିକ ମରମେ, ତଟିନୀ ପୁଳିନେ, ଭଗ୍ନ ପ୍ରାଚୀରେ ନିତି ।

ନୀରବ ଦୁର୍ଗ ପାଇଲା କି ଅବା କୋଟିଏ ଜୀବନେ ବାସ,

ଯୁଗ ଯୁଗାନ୍ତ ତିମିର ଅନ୍ତେ ଦେଖିଲା ଆବର ରାସ ।

ଗଗନ, ପବନ, ଜଳଧି, ଭୁବନେ ଉଛୁଳି ଉଠିଲା ବାଣୀ,

ଦୁର୍ଗ ଦୁଆରେ ପଥିକ କବିର ଶୁଭେ ସଙ୍ଗୀତ ବାଣୀ-

‘ଜୟ ହେ ଦୁର୍ଗ ଜୟ !

ଦେଇଛ ଏ ଜାତି ଜୀବନେ ଜୀବନେ ମୁକ୍ତିର ବରାଭୟ ।

ତୁମ ବାଲି ରେଣୁ ସ୍ଵର୍ଗର ବେଦ, ମର୍ତ୍ତ୍ୟର ପିରାମିଡ଼,

ପାଷାଣ ଏ ତବ ହିମାଚଳ ଶିରେ ତୁମେ ଶିବ ଶଙ୍କର ।

ତରୁଣୀର ମନ, ତରୁଣ ମର୍ମ, ବୀର ଦୁର୍ଦ୍ଦମ ବେଶ,

ତୁମରି ମରଣ ଶଯ୍ୟା ତଳପେ କରିଛ ସନ୍ନିବେଶ ।

ତୁମରି ବକ୍ଷ ତଳେ

ଆହ୍ୱାନ କେତେ ବହ୍ନି ଶିଖାରେ ଜୀବନ ଉଜଳି ଜଳେ ।’

Image

 

ଶିଖି ମନାଇ

 

ମାରିବାକୁ ଯାଇ ମରିଲ ନିଜେ,

ଦୂର ଦୁରାଚାର ଶିଖି, ମନାଇ

ଜନ୍ମଭୂମିର ଜୟ ଜଖମ

କରିଲ କି ବୁକେ ରକ୍ତ ଥାଇ !

ସୋଦର ରୁଧିରେ ସାଜିଲ ଭାଲ-

ଯୁଗ ଯୁଗ ତବ ଭ୍ରାନ୍ତ ଶିର

ତରୁଣ ଜାତିର ରୋଷ ବିଚାର

ସହିବ ନୀରବେ କୁଳାଙ୍ଗାର !!!

 

ନିବିଡ଼ ପାପର ପାହାଡ଼ ତୁମେ,

ଅନ୍ଧକାରର ଜନ୍ମ କାରା

ସ୍ଵାଧୀନ ଯୁଗର ସୂର୍ଯ୍ୟ ସେ ଯେ

ତୁମରି ସେପାରେ ବୁଡ଼ିଲା ପରା !

ସ୍ଵାଧୀନ ଜାତିର ଶହୀଦ୍ ଶତ

ମରିଲେ ରେ ଖାଲି ମରଣ ଜିଣି

ଜୀବନେ ତୁମର ଗରଳ ପାନ,

ଏଇ ତ ଭୀରୁର ଭାଗ୍ୟ ଜାଣି !

 

ଗୋହିରା ଟିକିରା ଗଭୀର ପଥ,

ସେ ପଥେ ଚାଲିଲେ ଶହୀଦ୍ ଶତ,

ଉଡ଼ିବା ପତାକା ପଡ଼ିଲା ତଳେ !

ହାୟ ରେ, ତୁମେ କି ପାଷାଣଚିତ୍ତ ?

ଛୁଇଁଲନି, ଆହା ! କେତନ ଥରେ,

ଦୂର ଦୁରାଚାର, ସରମ ନାହିଁ !

ଜନ୍ମ ଭୂମିର ଭଙ୍ଗା ବୁକେ

ଆଜି ଏ ତରୁଣ ସେ କଥା ଗାଇ ।

 

ତୁମରି ପାପର ଚାନ୍ଦ୍ରାୟଣ

ଏତେ ଯେ ବର୍ଷ ଭୋଗିବା ହେଲା

ମହାମାନବର ଏ ମହା ଦେଶେ

ମହା ଦାନବର ଚାଲିଲା ଲୀଳା !

ଜାତି ପରାଜୟ ଲଜ୍ଜାରେ କି

ମଜ୍ଜା ତବ ରହିଲା ଥିର ?

ନୟନୁ ନିଗିଡ଼ି ନାହିଁ କି ବାରେ

ତରୁଣ ଜାତିର ରକ୍ତଧାର ?

 

ଆପେ ବିରଚିଲ ଆପଣା କାରା,

ସେଦିନ ଥରିଲା ମେଦିନୀ ସାରା,

ସେଦିନ ଖସିଲା ବାରବାଟୀର

କନକ ଶିଖର ଚନ୍ଦ୍ରଶାଳା ।

ସଜଳ ଲୋଚନ କଜଳ ଗାର

ରୁଧିର ସଙ୍ଗେ ମିଶିଲା କାହିଁ,

ଗିରି ଡାକ ଦେଲା ସାଗର ଜଳେ—

ଆଉ ସେ ସ୍ଵାଧୀନ ଦେଶ ତ ନାହିଁ ।

 

ସ୍ଵାଧୀନ ଦେଶର ବିଧାନ ଦାନେ

ନିଧନ ଲଭିଲେ ଯେତେକ ରଥୀ

ଏ ମାଟି-ମାଆର ଶ୍ୟାମଳ ଚେଳେ

ଲାଲ କରି ଦେଲେ ଦିବସ ରାତି ।

‘ଶିବଶଙ୍କର !’ ଶଙ୍ଖ ଶୁଭେ,

ଜାହ୍ନବୀ କୂଳେ ଚେଇଁଲେ ରଜା

ପାଷାଣ ଗଡ଼ର ବିଷାଣ ବୋଲେ-

‘ଅତି ପ୍ରିୟତମେ ସମରେ ସଜା ।’

 

ସଇନି ବାଳାର ଲୋଳ ଲଲାଟ,

କିଶୋରୀ ବଧୂର କୋମଳ ବାହା,

ଅଭିସାରିକାର ଚରଣ ପାତ,

ବିରହୀ ବାମାର ରାଗିଣୀ ରାହା-

ପୁର ପର ପାରେ ରହିଲା ତେଣେ,

ମରଣ ବଧୂର ବର-ବେଶରେ

ଚାଲିଲା ଅଖିଳ ଲୋକ ଲହର

ତୀର, କରବାଳ, ବଲମ କରେ ।

 

ନୀଳ ଚିଲିକାର ଚପଳ ତୀର

ବିଜନ ଶିଖର ଗହନ ବନ

ଜଳ ବେଣୀ କଳ କଳ ରାଗିଣୀ

ସାତକୋଶିଆର ଯୁଗ ସପନ ।

Image

 

ଡାକ ହେ ଥରେ

 

ଖୋଜି ବୁଲ କିବା ହେ ବୀର ଯାତ୍ରି ! ଆକୁଳ ମନେ

ମରଣ ସାଗର ପାରେ-

ଡାକ ଅହରହ ଜନ୍ମଭୂମିର ଏ ଶମଶାନେ

ନିର୍ବାକ ଅଭିସାରେ ?

 

ଏହି ପଥେ ପଥେ କେତେ ଗଲେ ଚାଲି

ଜୟ ଅଭିସାରେ ଶୁଭ ଦୀପ ଜାଳି,

ଏଇ ଯେ ପଡ଼ିଛି ଚରଣ ଚିହ୍ନ

ଧରଣୀ ତଳେ,

ଯାତ୍ରୀ ସେ ଗଲେ ସାଗର ପାରେ ।

 

ଡାକିବାକୁ ଯେବେ ବଳିଛି କାମନା, ଡାକ ହେ ଥରେ

ଉତ୍କଳ ଶମଶାନେ,

ଶୋଇଛନ୍ତି ଭାଇ ଦୂରେ ଜାଭା, ବାଲି, ତିବ୍‍ବତରେ

ଶେଷ ଜୟଗାନ ଗାନେ,

 

ଗାଇଲେ ଯେ ଗୀତ ଚୀନ ସଭାତଳେ,

ବାହିଲେ ତରଣୀ ଚିଲିକା ସଲିଳେ;

ଏଇ ବନଗିରି ଧରିଛି ସେ ଗୀତି

ଏଇ ସମୀରେ,

ଡାକ ଡାକ ଆଜି ଡାକ ହେ ଥରେ ।

 

ଜୁନ-୧୯୩୮

Image

 

ଗରଜେ ବଜ୍ର

 

ଗରଜେ ବଜ୍ର ବିଦାରି ଗଗନ,

ହୁଂକାରି ଉଠେ ସିନ୍ଧୁ,

କଲିଜା ବିଦାରି ଏ ଯେ କ୍ରନ୍ଦନ

ଶୁଣା ନା ତୁ ମୋର ବନ୍ଧୁ !!

 

ଦୀପ ଲିଭୁ ତୋର ଧ୍ଵାନ୍ତ କୁଟୀରେ

ହେଉ ପ୍ରିୟ ସୁଖ ବିତ୍ତ ଲୁଟିରେ

ଯେତେ ନିର୍ମମ ଶୃଙ୍ଖଳ ବଳେ

ତୋ କର ଚରଣେ ଛନ୍ଦୁ ।

 

କର ନା ତୁ ଭାଇ ଅଶ୍ରୁପାତରେ

ମର ନା ତୁ ପରାଜୟେ,

ସାର ନା ତୁ ତୋର ଅନ୍ତରତଳ

ଦୁର୍ବାର ଚିତା ଭୟେ ।

 

ଆସିବ ରେ ଦିନେ ଉଜ୍ଜ୍ଵଳତର

ନିଷ୍ପେଷିତର ଖର ତରବାର

 

 

ଛେଦିବ ନିକର ବନ୍ଧନ ଭାର

ମୁକ୍ତିର ବରାଭୟେ !!

 

ଜୁନ୍–୧୯୩୮

Image

 

ବିପ୍ଳବ ପଥେ

 

ବାଜ ରେ ସିଂଗା ମୋର

ବାଜ ଭେରୀ ତୁରୀ, ବାଜ ରେ ଶଙ୍ଖ,

ଜାଗି ଉଠ କଙ୍କାଳ ।

 

ପଦ ଧୂଳି ତଳ ପତିତ ବୁକୁରେ

ଚିର ଲାଞ୍ଛିତ ଚିତ୍ତ-ମୁକୁରେ

ଆଜି ନବ ଯୁଗ ସପନ ମୁକୁଳେ

ନିଦ୍ରିତ ମାନବର ।

 

ରଇତ ରୁଧିରେ ସିକ୍ତ ଯେ ତଳ

ସାହୁକାର ପଦ ଭାରେ ଥରହର,

ସେ ମଶାଣି ତଳେ କାପାଳିକ ଦଳ

ସର୍ଜିବେ କୋଳାହଳ ।

 

ମୁକ୍ତି କି ସେଇ ଆଣିବେ ରେ ଭାଇ,

ଅନ୍ତରେ ଯା’ର ବିଶ୍ଵାସ ନାଇଁ ?

ଦୀନ ଦୁନିଆର ମାନବ ମିଳିଲେ

କଂପିବ ହିମାଚଳ !!

 

ବାଜ ରେ ସିଂଗା ମୋର,

ବାଜ ରେ ଶଙ୍ଖ ମୋର

ନାଚ ଲାଞ୍ଛିତ, ଜାଗ ବଞ୍ଚିତ,

ଉଠ, ଉଠ କଙ୍କାଳ ।

 

ଜୁନ୍‍—୧୯୩୮

Image

 

କବିର ସୁନିଆଁ

 

ସୁନିଆଁ ଆଜି ଉତ୍କଳର, ସ୍ଵପ୍ନ ଦେଖେ ହସି

ଜୀର୍ଣ୍ଣ ଘରେ ତରୁଣ କରି ପଲ୍ଲିପୁରେ ବସି-

ଶରତେ ଆଜି ସନ୍ଧ୍ୟାଲୋକେ ଜ୍ୟୋତ୍ସ୍ନା ପଛେ ପଛେ

ତରୁଣୀ ମନେ ପ୍ରଣୟୀ ଆସେ କୁଞ୍ଜବନ ରଚେ ।

ସଜାଡ଼ି ତାର ଚିକୁର ଭାର, ଅଧରେ ଚିପି ଭାଷ

କାହିଁ ସେ ଗିରି ଦୁର୍ଗ ବାସେ କଳ୍ପଇ କି ରାସ ।

କାହିଁ ବା କେଉଁ ମହାନଦୀର ସ୍ଵଚ୍ଛ ନୀରଧାରେ

ବାରବାଟୀର ଧୂମ୍ରଛାୟା ଜ୍ୟୋତ୍ସ୍ନା ତଳେ ମିଳେ ।

 

କେଉଁ ବନାନୀ ଅନ୍ଧାରିତ ପଲ୍ଲବ ପରଶେ

ପାନ୍ଥ ଦୂର ପନ୍ଥା ବାରି ଦୁର୍ଗ ପଥେ ଆସେ ।

ଏସନ ଦିନେ ପଲ୍ଲିକବି ସ୍ଵପ୍ନ ଦେଖେ ତାର-

ସୁନିଆଁ ଆଜି ଉତ୍କଳର ଶତାବ୍ଦୀର ଖେଳ

 

ସୁନିଆଁ ଆଜି ଉତ୍କଳର ସ୍ଵପ୍ନ ଦେଖେ କବି,

ସୁନିଆଁ ଆଜି ଗୌରବର, ଶତାବ୍ଦୀର ଛବି !

ସୌଧପଥେ କିଏ ସେ ବାଳା ପୁଷ୍କରିଣୀ ତୀରେ

ଯୁଦ୍ଧ ଶେଷ ବାର୍ତ୍ତା କହେ ପୋଷା ହଂସିନୀରେ ।

ସଜଳ କରେ କଜଳେ ତାର ଅଙ୍କିତ ଚିଟାଉ,

ଚମକ ପଶେ ଚିତ୍ତେ କ୍ଷଣେ ସଂଗୀତ କି ଗାଉ-

କାହିଁ ସେ କେଉଁ ଦୁର୍ଗଶିରେ କିଏ ସେ ଗଜପତି

ଜାଳିଲା ତାର ହୃଦୟ ତଳେ ଆଜିର ଶୁଭବତୀ ।

କରିଲା ଶୁଭ ନାମକରଣ, ବତ୍ସର ବାରତା-

ସ୍ଵପ୍ନ ଦେଖେ ପଲ୍ଲି କବି ଭେଦି ଏ କାତରତା ।

ଲଙ୍ଘି ଆଜି ବନ୍ୟାଶୋକ, ଦୁର୍ଭିକ୍ଷର ଦାଉ

ସେ ଦିନ ଛବି ଏ କବି ବୁକେ ଜଳଇ ଦାଉ ଦାଉ ।

ପଲ୍ଲି ପଥେ ଚାଲିଛି ବୀର, ଖଡ଼୍‍ଗ ଶୋହେ କରେ

କଣ୍ଠ ଶୋହେ ପ୍ରେୟସୀର ସଦ୍ୟ ଫୁଲମାଳେ ।

ଗଣ୍ତେ ଥାପି ଓଷ୍ଠ ତାର ଚୁମ୍ଵି କହେ କଥା,

ପଲ୍ଲି କବି ସ୍ଵପ୍ନ ଦେଖେ-ଘୋଟଇ ନୀରବତା ।

 

ସ୍ଵପ୍ନ ଦେଖେ ପଲ୍ଲି କବି, ସୁନିଆଁ ପରା ଆଜି ?

ସ୍ଵପ୍ନ ଦେଖେ—ଉଜ୍ଜ୍ଵଳେ କି ମଣିମୁକ୍ତା ରାଜି ।

ସ୍ଵପ୍ନ ଦେଖେ—ଚିଲିକା ପାଖେ ବିଜୟ ବାନା ତଳେ

ଚୀନ୍ ତିବତ ସିଂହଳରେ ବୋଇତ ଖେଳି ଚଳେ !

ସ୍ଵପ୍ନ ଦେଖେ—ତରୁଣୀ ତାର ତରୁଣ ମୁଖେ ଚାହିଁ,

ମଙ୍ଗଳଇ ଆଲିଙ୍ଗନେ ବିଦାୟ ଦେବା ପାଇଁ ।

ସ୍ଵପ୍ନ ଦେଖେ—ମାଲ୍ୟଗିରି ରୁକ୍ଷ ଶିଳା ବୁକେ

ଦୁର୍ଦ୍ଦିନର ଯୁଦ୍ଧେ ଜଳି ଅଗ୍ନି କା’ରେ ଡାକେ !

ସ୍ଵପ୍ନ ଦେଖେ ଜାହ୍ନବୀ ସେ, ସ୍ଵପ୍ନେ ଗୋଦାବରୀ,

ସୁନିଆଁ ଦିନେ ପାଲଟିଥିଲା ସ୍ଵର୍ଣ୍ଣ ଧୂଳି ବାଲି ।

ସନ୍ଧ୍ୟା ଯେବେ ସମର ଶେଷେ ଆସିବ ତହିଁ ଥରେ

ସ୍ଵପ୍ନମୟୀ ମଣି ହେବାରେ ଘେନିବ ପ୍ରାଣ ପୁରେ ।

ବନ୍ଦିନୀ ସେ ପଞ୍ଜୁରୀର ଶାରିକା ଦୂରେ ଡାକେ,

ଚପଳ ଲୋଳ ଲହରୀ ନାଚେ ପଦ୍ମପଦ ପାଖେ ।

ଏ ଭଳି ଦିନେ ପଲ୍ଲିକବି ସ୍ଵପ୍ନ ଦେଖେ ତାର—

ସୁନିଆଁ ଆଜି ଉତ୍କଳର ଶତାବ୍ଦୀର ଖେଳ ।

 

ସ୍ଵପ୍ନ ଦେଖେ ପଲ୍ଲିକବି, ସୁନିଆଁ ଆଜି ପରା,

ପୂର୍ଣ୍ଣା ଆଜି, ଧନ୍ୟା ଆଜି ମାଆ ବସୁନ୍ଧରା ।

କନ୍ଧେ ବହି ଖଡ଼୍‍ଗଭାର, ବକ୍ଷେ ନିହି ଦାଗ

ଅନ୍ତରେ କେ ସଜାଡ଼ି ଆସେ ପୂର୍ଣ୍ଣ ଅନୁରାଗ ।

ଚରଣ ତାର ଜନ୍ମଭୂମି ପୁଣ୍ୟ ରେଣୁପରେ,

କେଉଁ ବିଜନ କକ୍ଷ ଆଶେ ଚିତ୍ତ ଝୁରି ମରେ ।

ଦୁଇ ପାଖେ ତା ଧାନ୍ୟଶିଶା କମ୍ପେ ଅବିରତ

ଆମ୍ର ବନ ଗହନେ ଗାଏ ଟିଟ୍ଟିଭ କି ଗୀତ ।

ଶୀର୍ଣ୍ଣ ଶେଯେ ସ୍ଵଚ୍ଛ ନୀର ଚୁମ୍ଵିଯାଏ ମହୀ

ଦୁର୍ଦ୍ଦିନର ଗହଳ ମେଘ ଚହଳ ଆଉ ନାହିଁ ।

ଏ ଦିନେ ଆଜି ପଲ୍ଲିକବି ସ୍ଵପ୍ନ ଦେଖେ ତାର—

ସୁନିଆଁ ଆଜି, ପାଇଛି ଛୁଟି ଖଣ୍ତାୟତ ବୀର !

ପାଇକ ଆଜି ଫେରୁଛି ଘରେ କବିର ସ୍ଵପ୍ନ ଧନ

ସୁନିଆଁ ପରା ଉତ୍କଳର ଗୌରବର ଦିନ ।

ସ୍ଵପ୍ନ ଦେଖେ—ରଙ୍ଗ ଛବି କୂଳାଙ୍ଗନା ଓଠେ

ସମରେ ଯେବେ ବାରତା ଚାଲେ, କି ସମ୍ପଦ ଲୋଟେ ।

ସ୍ଵପ୍ନ ଖାଲି ସିନା !

ସୁନିଆଁ ନାହିଁ, ସୁନିଆଁ ନାହିଁ ତରୁଣ କବି ବିନା ।

ସୁନିଆଁ ନାହିଁ ବାସ୍ତବେ ଏ; ସୁନିଆଁ ନୁହେ ଆଜି,

ଗଜପତିର ମୁକୁଟ ଚୂନା, ଦୁର୍ଗ ଅଛି ଭାଜି ।

ଭିକ୍ଷା ମାଗେ ତରୁଣୀ ବୁଲି, ତରୁଣ ମରେ ଦୂରେ-

ରେଙ୍ଗୁନେ ବା ଆସାମ ବନେ, ଦିଲ୍ଲୀ ରାଜଦ୍ଵାରେ ।

ଚକ୍ରେ ନାହିଁ ବାନା ରେ ଆଜି, ଲକ୍ଷ୍ୟ ନାଇଁ କା’ର,

ମନ୍ଦିରେ ମା’ ଦୁର୍ଗା ଶୁଣେ ସନ୍ତାନ ଚିତ୍କାର ।

ସୁନିଆଁ ପାଳେ ରାଜ୍ୟହୀନ ପୁଞ୍ଜିପତି ଜନ

ଭିକ୍ଷା ଘେନି ବଞ୍ଚିତର ରକ୍ତବୋଳା ଧନ !

ସ୍ଵପ୍ନ ଦେଖେ ଖାଲି-

ଆସିବ ପରା ସୁନିଆଁ ଥରେ ସୂର୍ଯ୍ୟ ତୁଲେ କାଲି ।

Image

 

ମୁକୁଟର ପରାଜୟ

 

ପାଷାଣ ଯୁଗର ଗଡ଼ଜାତ ଗଡ଼ ବିଳାସ ନବର ତଳ

କନ୍ଧ କିରାତ କୁଟୀର ବନ୍ଧ ହେଲା ଆଜି ସମତଳ ।

ପତିତ ତାପିତ ଦୀନ ପଦାନତ ଆହତ ଯାତ୍ରୀ ଶୁଣ-

ବର୍ବରତାର ଚରମ ସମାଧି ହେଲା ଏଠି ସମାପନ ।

 

ଗିରି କନ୍ଦରେ, ଦେବ ମନ୍ଦିରେ, ଘନ ଅନ୍ଧାରେ କହ

ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !

 

ଗଗନଚୁମ୍ଵୀ ଗିରି ତରୁ ମେଳେ, ଜଟିଳ ଲତିକା ଦଳେ

କହ, ଏଇ ଆସେ ପ୍ରଥମ ସୂର୍ଯ୍ୟ ଉଜ୍ଜ୍ଵଳ କର ଜାଳେ ।

ପାନ କର ନବ ପୁଲକ ମନ୍ଦିରା, ଫୁଲେ ବନ୍ଦନା କର

ନିଷ୍ପେଷିତର ଅବଶେଷ ଆହେ ସନ୍ତାନ ମାନବର ।

 

ଦେବ ମନ୍ଦିରେ, ଘନ ଅନ୍ଧାରେ, ଗିରି କନ୍ଦରେ କହ

ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !

 

ଶତ ବର୍ଷର ଥିଲା ଏଠି ଯେତେ ନବର ଚନ୍ଦ୍ରଶାଳ

ଥିଲା ଶତ ଶତ ବିହାର ବାଟିକା, କାମିନୀ ହଂସପୁର,

 

ପାଟ ପ୍ରାଙ୍ଗଣ, ପାଟ ମହାଦେଈ, ପାଟଜେମା, ପାଟହାତୀ-

ଏ ନାମ ସମାଧି ହେଲା ଏଠି ଆଜି, ଲୁଚିଗଲା ପାଟଛତି ।

 

ଘନ ଅନ୍ଧାରେ, ଗିରି କନ୍ଦରେ, ଦେବ ମନ୍ଦିରେ କହ,

ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !

 

ଲୁଚିଲା ‘ମଣୋହି’, ‘ପହୁଡ଼’ ଏଠାରେ ଇତିହାସେ ହେବ ଲେଖା

ପଛଘୁଞ୍ଚାରେ ‘ଛାମୁ’ ଗଲେ ଚାଲି ‘ବିଜେ ହେବେ’ ନାହିଁ ଦେଖା ।

ଗଡ଼ଜାତ ହେଲା ମୋଗଲ ବନ୍ଦୀ ଜାଗି ପ୍ରଜା ପରିଷଦେ,

ମସ୍ତକ କର ଅବନତ ଭାଇ ମହା ଉତ୍କଳ ପଦେ ।

 

ଗିରି କନ୍ଦରେ, ଦେବ ମନ୍ଦିରେ, ଘନ ଅନ୍ଧାରେ କହ

ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !

 

ଅପଗତ ଆଜି ଘୋର ଘନାଗମ, ଶାନ୍ତି ଏ ଉପଗତ,

ଶବର, ଶଉରା, ବ୍ରାହ୍ମଣ, ହୋ, କରଣ, ଖଣ୍ତାୟତ,

ପୁଲକ ରଙ୍ଗେ ଧରି ତ୍ରିରଙ୍ଗେ ଉତ୍ସବ ରଚ ହସି

ଉନ୍ନତ କର ଅବନତ ଶିର ମହା ଉତ୍କଳେ ବସି ।

 

ଦେବ ମନ୍ଦିରେ, ଗିରି କନ୍ଦରେ, ଘନ ଅନ୍ଧାରେ କହ,

ହେଲା ଏତେ କାଳେ କୌପୀନ ପାଖେ ମୁକୁଟର ପରାଜୟ !

 

ମହା ଉତ୍କଳେ ଗଡ଼ଜାତ ଥାନେ ହୋଇଲେଣି ଏବେ ଠିଆ

ପଚିଶଟି ରଜା-ପଚିଶି ବିରଳା, ପରିଶିଟି ଯାଜୋଡ଼ିଆ ।

ରଜା ଗଲେ, ଏବେ ପୁଞ୍ଜିପତିର କୁଞ୍ଜେ ବାଜିଲା ବୀଣା,

ରାଜନୀତି ହାଟ ବଜାରେ ଚାଲିବ ରାଜନୀତି ବିକାକିଣା ।

 

ଦେବ ମନ୍ଦିରେ, ଗିରି କନ୍ଦରେ, ଘନ ଅନ୍ଧାରେ କହ,

ହେଲା ଏତେକାଳେ କୌପୀନ ପାଖେ ମୁକୁଟର ପରାଜୟ !

 

କୌପୀନ ଆଉ ମୁକୁଟ ମଝିରେ ବିରାଟ ଯେ ବ୍ୟବଧାନ

କହ କୌପୀନ ଗଲା ଏ ମୁକୁଟ ଛାଡ଼ିଦେଇ ତାର ଥାନ ।

ସେ ଥାନ ଦଖଲ କରିବା ପାଇଁ କି ସମର ଲାଗିବ କାଲି

ସାମ୍ୟବାଦର ଶଂଖ ବଜାଇ ସମତା ଆଣିବ ବୋଲି ।

 

ଗିରି କନ୍ଦରେ, ଦେବ ମନ୍ଦିରେ, ଘନ ଅନ୍ଧାରେ କହ,

କରିବାକୁ ହେବ ଆହୁରି ସମର ଦୁର୍ଦ୍ଦମ ଭୟାବହ !

 

ଅକ୍ଟୋବର–୧୯୪୭

Image

 

ଜମିଦାରର ମୃତ୍ୟୁ

 

ବାଟେ ଘାଟେ ଆଜି ଏ ଯେ ଖବର ରଟେ

ମରିଚି କାଲିର ସେଇ ଜମିଦାରଟା

ଦୀନ ଦୁନିଆର ଶତ ବକ୍ଷ ପଟେ

ସୃଷ୍ଟି ଯେ କରିଥିଲା ଝଞ୍ଜାଘଟା ।

ଯାହା ସେ କରିଚି ଶାଣ କଲମ ପୁଟେ

ଲୁପ୍ତ ତା’ ଆଜି କାଳ ସିନ୍ଧୁତଟେ ।

 

ଆକାଶର ଚିଲ ଥିଲା ଦୁର୍ବିଚାରୀ

ଝାମ୍ପି ଥରାଉଥିଲା ଧରଣୀ ସାରା

ବାଟେ ଘାଟେ ତାର ଭୟେ ନର ଓ ନାରୀ

ଶଙ୍କିତେ ଚାଳୁଥିଲେ ଚରଣ ପରା !

ବିରାଟ ଉଦରେ ସବୁ ଭରିଲା ତାର

ଚିପୁଡ଼ି ଯେତେକ ଲହୁ, ଲୋତକ ଧାର ।

 

ହୁଏ ତ ଲେଖିଲା କେତେ ତାମ୍ରଲିପି

ଛାପିଗଲା ଶିଳାବୁକେ କୀର୍ତ୍ତିରାଶି

ତୋଳିଲା ଦେଉଳ ଦେବ ମୂର୍ତ୍ତି ଥାପି

ଜପତପେ ଚମକାଇ ମର୍ତ୍ତ୍ୟବାସୀ ।

ହୁଏ ତ ଦି’ଚାରି ଶହ ଅର୍ଥଦାନ

କରି ସେ କରାଇଲା ତା କୀର୍ତ୍ତିଗାନ !

 

ହଜାରେ କୁଟୀର ତଳେ ମିଶାଇ ଦେଇ

ହୁଏ ତ ସେ ତୋଳିଥିଲା ଆପଣା ଘର,

ହଜାର କୁଟୀର ଲୁଗା ଦମ୍ଭେ ଫେଇ

ହୁଏ ତ ରଖିଲା ମାନ ସେ ଜଣକର ।

ଗରାସି ଅପର ମନ, ମହତ, ମାନ

ଦାବି ସେ କରିଲା କେତେ ବଡ଼କୁ ସାନ ।

 

ମରିଚି କାଲିର ସେଇ ଜମିଦାରଟା

ଅର୍ଦ୍ଧପାଗଳ ସେ ଯେ ଅର୍ଥଲୋଭୀ,

ଅତୀତର ବୁକେ ଏଟା ଜୁଆରଭଟ୍ଟା

ମିଥ୍ୟା ତୁଷାର ଗଦା ପଡ଼ିଲା ଦ୍ରବି !

ଏ କବି ପଛକୁ ଚାହିଁ ଚମକିଉଠେ

କାହୁଁ କେତେ ଶତ ପୂତି କାହାଣୀ ଫୁଟେ ।

 

ପରାଣର ପ୍ରିୟତର ଯାହା ବା ଥିଲା

ଏ ଚିଲ ନେଇଚି ସବୁ ଝାମ୍ପି ଦୂରେ,

ଶିଶୁର ନେଇଚି ମାତା ସ୍ତନ୍ୟଧାରା

ସତେଜ କରିଚି ରାଣୀହଂସପୁରେ ।

ଆନର ମହତ ଚୋରି କରିଚି ଏଇ

ନିର୍ଲଜ୍ଜ ବାହୁବଳେ ଧକ୍କା ଦେଇ ।

 

ମରିଚି ସେ ଚିଲ ଆଜି ଧରଣୀ ତଳେ

ଗମ୍ଵୁଜ ନଭୁ ତାର ପଡ଼ିଚି ଖସି,

ପଥ ଭୁଲେ ଇତିହାସ ଏପରି ଥରେ

ମୁଣ୍ତା ହୋଇଚି ତାର ଶାଣିତ ଅସୀ ।

କେତେ ପୁରବାସୀ କେତେ ଦୁସ୍ଥଜନ

ଶୁଦ୍ଧି ପାଳିବେ ଦେଇ ନିଷ୍ଠୀବନ ।

 

ଜୁଲାଇ–୧୯୪୭

Image

 

ସ୍ଵାଗତ ଯୌବନ

 

ଆସ ଯଉବନ ! ଗୁପ୍ତ-ଚେତନା

ମୁକ୍ତ ତୁମରି ଲାଗି

ନିବିଡ଼ ନୀରବ ଗଭୀର ଦୁର୍ଗେ

ବିଶ୍ଵ ଉଠିଛି ଜାଗି

ଛନ୍ଦ ଭୁଲିଛି ଦକ୍ଷିଣା-ପବନେ

ଧ୍ଵଂସ-ଆକୁଳ-ଭୋକେ

ଆସ ମୋର ସଖା ! ଆସ ଆଜି ଉନ୍ମୁଖେ;

ବଜାଇ ବଜାଇ କଳାପାହାଡ଼ର

ରୁଦ୍ର-ବିଷାଣ ମୁଖେ ।

 

ଶୁଭୁ ଆଜି ତବ ଦୁନ୍ଦୁଭି ତାନ

ଗଗନ ବନ୍ଧ ଚିରି

ଦିଶୁ ଆଜି ତବ ଦଶ ଦିଗ ଧରି

ମୁକ୍ତ ପାଗଲ ଶିରୀ;

ଚମକି ଉଠିଛି ଶିଥିଳ-ଧମନୀ

ଅଜଣା ଲକ୍ଷ୍ୟେ ତା’ର

ଆସ ହେ ବନ୍ଧୁ ! ଆସ ମୋର ଦୁର୍ବାର,

 

କଣ୍ଠେ ଝୁଲାଇ ମୁଣ୍ତମାଳିନୀ-

କାଳୀ ମାଆର ସେ ହାର ।

 

ମନ ଖୋଜି ବୁଲେ ଭାଙ୍ଗିବ ତାର

ଅର୍ଗଳ ରାଶି ରାଶି,

ଆଗ୍ନେୟ ଗିରି ବକ୍ଷେ ବହିବ

ମୃତ୍ୟୁ ବରଣେ ହସି;

ଗଗନେ ପବନେ ଭାଷା ଯିବ ତାର

ଅନ୍ତବିହୀନ ଦେଶେ

ଆସ ମୋର ସଖା ! ଆସ ଉନ୍ମଦ ହାସେ,

ହଲାଇ ଖେଳାଇ ରକ୍ତ-କେତନ

ଶ୍ମଶାନ-‘ହୁ’ ‘ହୁ’-ବେଶେ ।

 

ବୈଦିକ ପୀଠେ ଯଜ୍ଞଫୁଟିବ

ଆସ ପୁରୋହିତ ମୋର

ଅକୂଳ ସାଗରେ ନାଚିବ ତୋଫାନ

ଆସ ହେ ପ୍ରଳୟଙ୍କର;

ସୃଷ୍ଟିର ମହା ଅବସାଦ ପଛେ

ଧକ୍କା ଦିଅ ହେ ବାରେ

ଯୌବନ ! ତବ ଉତ୍‍ପ୍ଲବ-ଅଭିସାରେ,

ଗିରିଚୂଡ଼ା, ଧରା-ଗଭୀର-ଗଣ୍ତ

ମିଶିଯାଉ ଏକାକାରେ ।

 

କରେ ଧରି ଆସ ସେନାପତି ମୋର

ଶୂଳପାଣି ଡମ୍ଵରୁ

ଗୁମ୍, ଗୁମ୍, ଗୁମ୍ କମ୍ପନେ ତାର

ବିଶ୍ଵ-ଧମନୀ ଥରୁ;

ଭାଲେ ଜଳୁଥାଉ ଅମ୍ଵିକା-ଚିତା

ବିକଟ ଅଟ୍ଟହାସ

ଧୂର୍ଜଟି-ଜଟା-ଚୁମ୍ଵିତ-ଉଚ୍ଛ୍ଵାସ

ତବ ସହ ମୋର ମଧୁର ମିଳନ

ସୃଷ୍ଟିର ଅଭିଳାଷ ।

 

ନଭେମ୍ଵର-୧୯୨୪

Image

 

କୁଞ୍ଜେ କୁଞ୍ଜେ

 

(ଆଜି) କୁଞ୍ଜେ କୁଞ୍ଜେ ଶାମ ଗିରି ତଟେ

ରଙ୍ଗେ ଶାରଦ ନୀଳ ନଭ ପଟେ

ଦୈବତ ଦୀପ୍ତି କମ୍ପେ ନାଚୁ ସୁସରଳ ଶିଶୁକୁଳ ମନ୍ତର ।

 

ଦ୍ୟୋତିତ ଗୌରବ ପୁଲକେ,

ମଧୁ ମୋହନ ଜ୍ୟୋତି ହୃଦ ଝଲକେ

ଉଜ୍ଜ୍ଵଳ ପ୍ରାଣ ବୋଧନେ

ନାଚୁ ସୁସରଳ ଶିଶୁ ମନ୍ତର,

ରଙ୍ଗେ ସମୀରଣ ସଙ୍ଗେ ଗିରିବନ ଅଙ୍ଗେ ଶିଶୁକୁଳ ମନ୍ତର ।

 

ଧୃତି ନିର୍ମଳ ହୃଦ ହାସେ,

ଉଷତେ ରଙ୍ଗେ ନବ ନବ ଭାଷେ

ପ୍ରାଣ ଭରି ଭାଇ ଲକ୍ଷ୍ୟ ରଖ ସେହି

ବନ୍ଦଇ ଜନନୀ ମନ୍ତର

ବିଭୁ ଚିନ୍ତି, ଧରି ଧୃତି, ଉଠୁ ଭାତି, ଶିଶୁକୁଳ ସୁସରଳ ମନ୍ତର ।

 

ସ୍ମୃତି ସୁନ୍ଦର ଗୌରବ ସେ

ପୁଲକେ ଭାଷେ ଉଚ୍ଛ୍ଵାସେ

ନୀଳାଚଳ ସେହି ବାନା ଉଡ଼େ ଯହିଁ

ଶୂନ୍ୟେ ତୋଳି ମଧୁ ମନ୍ତର,

ଉଠୁରଙ୍ଗେ, ଗାନ ସଙ୍ଗେ, ସେ ତରଙ୍ଗେ

ଶିଶୁକୁଳ ସୁସରଳ ମନ୍ତର ।

 

ଅନ୍ତର ଭାବନା ମନୁ ଫିଙ୍ଗି,

(ଆଜି) ଅନ୍ତର ଶେ ନା ଯିବା ଲଙ୍ଘି

(ଆଜି) ରଙ୍ଗେ ଯିବା ଭାଇ ପୁଣ୍ୟ ବାସନା ବହି

ଭାବୀ ପଥେ ଫେଇ ଅନ୍ତର

ନବ ହାସେ, ନବ ବାସେ, ବିଭୁପାଶେ (ଆଜି ଉଠୁ)

ଶିଶୁକୁଳ ସୁସରଳ ମନ୍ତର ।

 

୧୯୨୧

Image

 

ନିଷ୍ପେଷିତର ଭଗବାନ

 

ଶ୍ୟାମଳ ଘନ ପଲ୍ଲବିତ ବଲ୍ଲରୀ ଏ ବନତଳେ

ବିଛାଇ ଦିଏ ବନ୍ଧୁ ମୋର, ମଧୁର କେତେ ସୌରଭ,

ବିଜନ ପଥ, ସାନ୍ଧ୍ୟ ଗୀତ ଶୁଣାଏ କିଏ ତରତରେ

ପୁରାଣ-ଶିଳା-ଦୁର୍ଗବାସେ କହେ କେ ଗତ ଗୌରବ ।

କାହୁଁ ଆଦରି କୁସୁମ କଳି ଆସଇ ଦୂର ଗିରି ନଈ

କାହୁଁ ସେ ଆସେ କି ବାଣୀ ଭାଷେ ଏ କାହା ଭାଷା ଛନ୍ଦର

ଏ ଶିଶୁ ଖେଳା ଅଙ୍ଗନେ ଯେ ବଂଶୀ ବାଜେ ରହି ରହି,

କାହିଁରେ ମନ ନାହିଁ ମୋ ସଖା, ଲାଗିଛି ଆନ ହୁନ୍ଦର ।

ବରଷ କେତେ ହେଲାଣି ଆସି, ସତେ ବା ଗତ ଦିବସର

ସୂର୍ଯ୍ୟ ଉଠି ଯାଇଚି ବୁଡ଼ି ଭୁବନେ ଭରି ଅନ୍ଧାର !

ସତେ ବା କାଲି ଫୁଟିଲା ଫୁଲ ନେଇଚି ଚିର ଅବସର

ବାସନା ନାହିଁ, ରହିଚି ଖାଲି ପାଖୁଡ଼ା ରଜନୀଗନ୍ଧାର ।

ପଞ୍ଜାବର ଗହନ ପଥେ ଆଜି ଏ ଦିନେ ଜାଣିଚ ତ

ବାଜିଲା ନବ ଡମ୍ଵରୁର ଜୀବନମୟ ଇଙ୍ଗିତ,

ମରଣ ପଥେ ବିଜୟ ରଥେ ନଇଁଲା କେତେ ପରବତ

ଶୁଭିଲା ଦୂର ସିନ୍ଧୁ କୂଳେ ମାଟି ମଣିଷ ସଙ୍ଗୀତ !

ଗଗନ ଚିରି ଶୁଭିଲା ଡାକ—ଦଶମ ଗୁରୁ ଗରଜନ

ତୁହିନ ଶିଳା ତରଳିଗଲା, ଜାଗିଲେ ନରସିଂହ ହେ;

ଶୁଭିଲା ବାଣୀ—ଦୁର୍ବାର ହେ, ଦୁର୍ଦ୍ଦମ ହେ ଯୌବନ

ଭାଙ୍ଗ ଆଜି ପାଷାଣ କାରା, ଏ ହିମାଚଳ ଲଙ୍ଘ ହେ !

ନୀଳ ଗଗନୁ ତାରକା ଆଣ, ତୋଳ ହେ ଗ୍ରହ ପୁରଜନ,

ରୋଧିବ କିଏ ଉଲ୍‍କା ବେଗ, ଶତ୍ରୁ ଆସେ ଭୈରବେ,

କି ଥିଲା ଏଥି ମନ୍ତ୍ରବଳ, କି ହେଲା ଶୁଭ ସରଜନ-

ଜାଗିଲା ଶିଖ ନ ମାନି କିଛି ସ୍ଵର୍ଗେ ଅବା ଗୌରବେ !

ପଞ୍ଜାବର ପୁଂଜିଭୂତ ଖାଲ୍‍ସା ସେନା ବଳୀୟାର

ଚହଳ ଦେଲେ ଚଉଦିଗର ପୀଡ଼ିତ ଶତ ଅନ୍ତରେ

ସଖା ହେ ଆଜି ମାନସେ ନାଚେ-ନାହିଁ କି ବୀର ଓଡ଼ିଆର

ସେ ବୀର ଗୁରୁ ଦୃପ୍ତ ଛବି ଏ ଦୂର ବନ ପ୍ରାନ୍ତରେ ?

ଭକ୍ତ ଗଲା, ରକ୍ତ ଦେଲା, ସିକ୍ତ କଲା ମାଟି ତଳ

କପୋଳ ତଳେ ଲେଖି ସେ ଗଲା ନୂତନ ଯୁଗର ବନ୍ଦନା

ବିଶ୍ଵପାତା କୃପାଣ ଟାଣି ତ୍ରସ୍ତ କଲା ଚରାଚର,

କହିଲା—ଆରେ ଦୁର୍ବଳ ତୁ କାନ୍ଦନାରେ କାନ୍ଦନା !

ଲଲାଟେ ଲେଖା ବହ୍ନି ଦାଗ, ବିଷାଣ ବାଜେ ଘନ ଘନ

ଈଶାନ କୋଣ ଝଞ୍ଜା ଚଳେ ଜୀବନେ କରି ଗର୍ଜନ ।

ଦାନବଜିଣା ମାନବ ସେ ରେ ନିଷ୍ପେଷିତର ଭଗବାନ,

ପଲକେ କଲା ଧରଣୀ ତଳେ ନବ ଦୁନିଆ ସର୍ଜନ !

ସଖା ହେ ଆଜି ସେହି ସପନ—ସେହି ଲପନ ଜାଗେ ମନେ,

ପଞ୍ଜାବର ସିନ୍ଧୁ କୂଳେ କେବେ କି ଥିଲି ଜନ୍ମି ହେ,

କେବେ କି ଥିଲି ସେହି ବିଜନ ପତର ଗୀତି ସନ ସନେ

ମିଶି ବା ଥିଲି ବିକ୍ଷୋଭିତ—ଲକ୍ଷ ଶତ ଉର୍ମିରେ !

କଂକରିଳ ସେ ଗିରିପଥେ ତୋଫାନ ଯେବେ ଚମକିଲା

କେବେ କି ମୋର ଉଲ୍‍କା ସମ ଅନ୍ତର ଏ ଅନ୍ତର-

ପୁରାଣ ବିଧି ବନ୍ଧ ଏଡ଼ି ଧମନୀ ତୁଲେ ଧମକିଲା ।

ତାହାରି ଦାଗ, ସେ ଗୀତି ରାଗ ଜଗାଏ ନବ ମନ୍ତର ।

ସପନ ସମ ଶୁଣୁଚି ଆଜି କୃପାଣ ତୀର ଝନ୍‍ଝନ୍

ସଇନି ବାଳା ବିଦାୟ ଦିଏ ଦୟିତେ ତୋଳି ନିଶ୍ଵାସ ।

ଚମକି ଚାହେଁ ନାହିଁ ତ କାହିଁ କଙ୍କଣର ‘କଣ୍ କଣ୍’,

ଲଜ୍ଜିତ ଏ ଯୁଗଳ ଆଖି ମୁଦିଲେ ଆସେ ବିଶ୍ଵାସ ।

ମାଙ୍ଗଳିକ ଗାଅ ହେ ସଖା, କର ହେ ଶିଶୁ କଳରୋଳ

ଦେଖରେ ଦୂର ପଞ୍ଜାବର ଦିଗ୍ ବିଭାଗ ପ୍ରାନ୍ତରେ-

ମହାମାନବ କଲ୍ୟାଣର ଝରଇ ଝର ଝରଝର,

ଅଗ୍ନି ଧୂପ ଜଳଇ ତହିଁ ଖାଲ୍‍ସା ସେନା ଅନ୍ତରେ !!

ଶିଖ ଶହୀଦ୍, ଖାଲ୍‍ସା ବୀର, ଖଣ୍ତାୟତ ହୁସିଆର !

ମରାଠା ଜାତିର ମାଓଲୀ ସେନା ରଚିଲେ ଯହିଁ ଆସ୍ଥାନ,

ଟଳିଲା କେତେ ସିଂହାସନ, ବିପୁଳ ବଳ ବାଦ୍‍ଶାର

ସେ ଦେଶ ବୀର ଜନ୍ମ ତିଥି ପୂଜରେ ବୀର ସନ୍ତାନ !!

Image

 

କଙ୍କାଳ ଲୀଳା ଦେଖ କଙ୍କାଳମାଳିନୀ !

 

ଲାଗିବ କି ଲୀଳା ଆଜି ଏ ନବୀନ ବରଷେ

ଧନ୍ୟ କରିବ ତବ ଶୁଭ ପଦ ପରଶେ ?

ମା’ ଗୋ ! କାଞ୍ଚନବରଣୀ,

ସିକ୍ତ କରିବ ସନ୍ତାନ ବୁକୁ ଶୋଣିତେ ଶୁଭ୍ର ସରଣୀ !

ଭୁବନେ ଆଜି ଏ ଘନ ନିର୍ମଳ ଗଗନେ

ଶ୍ୟାମସୁନ୍ଦର ଉଜ୍ଜ୍ଵଳ ଶୁଭ ଲଗନେ,

ଛାଗଳ କଣ୍ଠ-ରାଗିଣୀ

ତବ ମନ୍ଦିର ଭକ୍ତ ବୁକୁର ବୀଣା ତା’ ରେ ମା’ କି ଲାଗିନି ?

ପଥହୀନ ଦୂର ବିଜନ ପଲ୍ଲି ବୁକୁରେ

ଯେ ବେଦନା ନାଚେ, ତୁମରି ଚିତ୍ତ-ମୁକୁରେ

ପ୍ରତିଫଳିବ କି ବାରେ ଗୋ

ସଂକିଳ ଆଜି ହୋଇବ କି ଧରା ସନ୍ତାନ ଲୁହ ଧାରେ ଗୋ !

ଚରଣେ ତୁମରି ତୀର୍ଥ ସଲିଳ ପରଶେ,

ବନେ ଉପବନେ ଝରିବ ସୁମନ ଶିରଷେ,

ଦାନବ ଦର୍ପହାରିଣୀ

ମନ୍ଦିରେ ତବ ସଙ୍ଗୀତ ଶୁଭେ- ‘ଦୁଃଖୀ-ଜୀବନ-ତାରିଣୀ ।’

ଅଖିଳ ଅବନୀ ଡାକେ ଅବିରଳ ଦୁଆରେ

କି ଅନାଦି ଯୁଗ ସମୀରଣ ବହେ ଜୁଆରେ,

କରେ ଅର୍ଚ୍ଚନା ଭକତ,

ତାରିଣୀ, ଶକ୍ତିଶାଳିନୀ, ପାଳିନୀ-ବିଶ୍ଵ କି ଅନୁରକତ !

ଯୋଡ଼ି କରଯୁଗ କରେ ନର ନିତି ଯାଚନା

ମୂକ ନିଶ୍ଵାସେ ହୁଏ ବନ୍ଦନା ରଚନା,

ନବ ମନ୍ଦାରମାଳିନୀ

ଉତ୍କଳ ମୋର ହୋଇଚି କି ଆଜି ବରଦା ଶକ୍ତିଶାଳିନୀ !

ପରଶିବ ସତେ ଚରଣ ମା’ ଆଜି ଘରେ କି?

ଗିରି, ବନ, ଶିଳା, ତଟିନୀ, ସାଗର ପରେ କି?

ନେବ କି ବା ଉପହାର ଗୋ ?

ମୃତ୍ୟୁର ମହା ନୃତ୍ୟ ରାଗିଣୀ ଏ ତରୁଣ କବିତାରେ ଗୋ !

ଅନ୍ତରେ ଆଜି ଉଠେ ଗୀତି କ୍ଷିତି ମୁଖରି

ଥରେ ଅବା ଦୂରେ ନୀଳ ମେଘାସନ ଶିଖରୀ !

ଘନ ବନ ବିଲ ତଳେ କି

ନିଷ୍ପେଷିତର ଚିତ୍କାର ଶୁଣ ମରଣ ଯାତ୍ରା ବେଳେ କି ?

ନାହିଁ ଆଜି କା’ର ଚରଣେ ମରାଳ-ଗମନ

ସଜାଡ଼ି କବରୀ କରେ ନା କେ ପ୍ରୀତି ବରଣ,

ଫୁଟେ ନାଇଁ ଫୁଲ ଚରଣେ

ଉଠେ ନାଇଁ ଓଠ ରକ୍ତିମ ତଟେ ବଚନ ଚିତ୍ତ ହରଣେ ।

ଗ୍ରାମ ବଟ ତଳ ଶୀତଳ ଏ ଶିଳା ଶୟନେ

ନୀଳ କଇଁ ଲୋଳ କର୍ଣ୍ଣିକା କଳି ଚୟନେ,

ନ ଚଳେ କେ ସଖା ଦଳେ ଗୋ,

ଦିଶେ ଖାଲି ହାଡ଼ କଙ୍କାଳମାଳ ଚକିତ ନୟନ ତଳେ ଗୋ ।

ବୟସ ଚପଳ, ଛଳ ଛଳ କଳ ହାସରେ

ମନ ନାଇଁ ନବ ଯୁବାଜନ ମଧୁ ରାସରେ,

କିବା ସଂକେତ ଦେଖ ଗୋ

ପ୍ରଳୟ କନ୍ୟା ବନ୍ୟା ଦୁଆର ମଳିନ ପଲ୍ଲିମୁଖ ଗୋ ।

ବସି କୃଷୀବଳ ସହେ ତା ଚିତ୍ତ ବେଦନା,

ତୀର-କରବାଳେ ଦୁଃଖ କି ତାର ଛେଦ ନା ?

ତବ ସୁକରୁଣାତରଣୀ

ରଚିବ କି ତାର କୁଟୀର କୁଞ୍ଜେ ଜଳ ବେଣୀ ପରେ ସରଣୀ ?

ଆଜି ବିମଳିନ ତରୁଣ ଅରୁଣ ବାସନା,

ଶିଥିଳିତ ଶତ କୌତୂକମୟୀ ରସନା,

ଜନନୀ, କନକ ବସନା

ଚିତ୍ତ ମଳିନ ବିତ୍ତ ବିହୀନ ସନ୍ତାନ ଆଜି ହସେ ନା !

ଖାଲି ହାହାକାର, ନେବ କିବା ଉପହାର ଗୋ ?

ଜୀବନ ଶୂନ୍ୟ, ବାଜେ ନାଇଁ ସୁଖ ତାର ଗୋ,

ଅପରୂପ ବଳଶାଳିନୀ,

କଙ୍କାଳ ଦେଶେ କଙ୍କାଳ ଲୀଳା ଦେଖ କଙ୍କାଳମାଳିନୀ !

Image

 

ପଛେ ହଟିଯିବ ଭାଇ

 

ପଛେ ହଟିଯିବ ଭାଇ ?

କହିଲା କେ ବୀର ସମ୍ମୁଖ ରଣେ ଯାଇ ।

ତିନି ଶତାଧିକ କ୍ଷିପ୍ତ ଯୁବକ ବୁକେ

ଘନ ଘନ କିଏ ଏକା ସଂଗୀତେ ଡାକେ

ଏକା ଝଙ୍କାରେ ବାଜଇ ଶ୍ରବଣ ପାଶେ

କରବାଳ ଲୀଳା ରଣ ବିଦ୍ରୂପ ହାସେ ।

ମହୀରୁହ ସମ ଅଚଳ ଚରଣ ତଳେ

ଶୁଭେ ସଂଗୀତ-

“ପଛେ ହଟିଯିବ କି ରେ?

“ହଟିଯିବ ପଛେ ସତେ

ଦୁସ୍ତର-ରଣ-ସାଗର-ଫେନିଳ-ପଥେ ?

ଗଲେ କେତେ ଜନ କେତେ ରଣତରୀ ବାହି

ଏଇ ପଥ ଧାରେ ମୁକ୍ତି ରାଗିଣୀ ଗାଇ ।

ଏ ତୁଷାର ତଳେ ନତ ଶିରେ କହି କଥା

ତୁଟାଇଲେ ସବୁ ଜନମ-ଜନମ-ବ୍ୟଥା ।

ସମର-ଯଜ୍ଞେ ହୋଇ ଆପେ ହୋମାହୂତି

ଲାଗେ କାଲିପରି ଗଲେ କେତେ ସେନାପତି ।

କେତେ ଜନନୀର ହୃଦ-ନନ୍ଦନ-ଧନ

ଏଇ ପଥେ ପଥେ

କରିଗଲେ ଶୁଭାଗମ ।

ହଟିବୁ କି ସତେ ଭାଇ,

ଦେଖି ଆଗେ ତୋର ମରଣେ ବିକଟ ଛାଇ ?

ହାତେ ଧରି ତାର ପ୍ରେମିକା-କମ୍ର-କର

ହାତେ ପରଶିଲା ଲମ୍ଵିତ କରବାଳ ।

ପାଖକେ ପକାଇ ଗୃହ ସଂସାର ମାୟା

ପ୍ରଣୟ ବେଦୀରେ ଦେଲା ଦେଶ ପାଇଁ କାୟା ।

ଦେଇ ଚୁମ୍ଵନ ତରୁଣୀ-ଚିବୁକ ତଳେ

କହିଲା-ଗୋ ମୋର ମନେ ରଣାନଳ ଜଳେ ।

ଆପଣେ ଜଳାଇ ଜଳାଇବି ବଇରିରେ

ମଧୁରେ ପରଶ

ସଙ୍ଗିନୀ ମୋର ଶିରେ ।

ବିଶ୍ଵ କି ହେଲା ବାଇ ?

ଗଲା ସେ ତରୁଣ, ତରୁଣୀ ରହିଲା ଚାହିଁ ।

ଗଲା ପଖି ଉଡ଼ି, ଛାଇ ସେ ରହିଲା ପଛେ,

ଚାଲିଲା ସୁବାସ, କୁସୁମ ଫୁଟିଛି ଗଛେ ।

ବୀଣା ଅଛି ପଡ଼ି, ସଙ୍ଗୀତ ଗଲା ଚାଲି

ଷୋଡ଼ଷୀ ଲୋଚନୁ ଲୋତକ ନ ପଡ଼ୁ ଝରି-

ଉଠିଲା ବଦନୁ ବିଦାୟ ବେଳର ଛାଇ

ଗଲା ସେ ତରୁଣ ତରୁଣୀ ରହିଲା ଚାହିଁ ।

ପ୍ରଣୟ ବେଦୀରୁ ଗୋଟାଇ ବରଣ ମାଳା

କହିଲା ସେ, ‘ମୋର-

ଅଇଲା ମିଳନ ବେଳ’ !!

ସମର ଭୂଇଁର ଅମର ଯାତ୍ରୀଦଳ

କରେ ଧରି ବାନା, କରେ ଧରି କରବାଳ

ଦେଶ ଜନନୀର ଅମଳ ଚିତ୍ର ଆଗେ

ଆପଣାକୁ ଯେବେ ବଳି ଦେଲେ ଅନୁରାଗେ,

ସେକାଳେ କାହାର କନକ ଚିକୁର ଧାର

ଅଳପେ ଚମକି କହିଲା-“ଏଇ ତ ବେଳ,

ବେଦୀର ବଳକା ବନ୍ଦନା ଆଜି ହେଉ

ପ୍ରଣୟ ମହିମା ସମର ଭୂଇଁରେ ଥାଉ ।

ଫେରି ଯୁବା ଚାହେଁ, ଚକିତେ ଚପଳା ସମ

ମରଣ ଦୁଆରେ

ପ୍ରଣୟନୀ ସମାଗମ !

 

୧୯୨୮

 

ଚୀନ ଜାପାନ ଯୁଦ୍ଧବେଳେ ଜଣେ ଚୀନା ଯୁବକ ବିବାହ ବେଦୀରୁ ସମର କ୍ଷେତ୍ରକୁ ଯିବା ସମ୍ଵାଦରେ ।

Image

 

ଉତ୍କଳ ମା’ର ସନ୍ତାନ ଆମେ

 

ଉତ୍କଳ ମା’ର ସନ୍ତାନ ଆମେ, ଆମେ ରେ ତରୁଣ ଦଧିଚୀ ଦଳ,

ଆମରି ବୁକୁରେ ଦୁର୍ଗମ ଗିରି, ସାଗର, ସରିତ କରିବେ ଖେଳ ।

ଏ କୋଟି କପାଳେ ଆଷାଢ଼-ଅଶନି ବିଦ୍ୟୁତମାଳା ଉଠିବେ ନାଚି,

ଘେନିବେ ଏ ମନେ ନବ ଅବତାର ପ୍ରତାପ, ଶିବାଜୀ, ସବ୍ୟସାଚୀ ।

ଉତ୍କଳ ମା’ର ସନ୍ତାନ ଆମେ, ଆମେରେ ତରୁଣ ସାଧକ ଦଳ,

ମୁକ୍ତ-ସମୀର, ଗଗନ ଖଣ୍ତ ଆମରି ଜୀବନ ବିହାର ଥଳ ।

ଏ ଜାତି କପାଳେ ବିଜୟତିଳକ ତରୁଣ ଏ କରେ ଦେବୁରେ ଲେଖି,

ବରଣ କରିଛୁଁ ମରଣ-ମନ୍ତ୍ର ସତ୍ୟ-ସାଧନ ଜୀବନେ ଶିଖି ।

ଉତ୍କଳ ମା’ର ସନ୍ତାନ ଆମେ, ରକ୍ତ ଚରଣେ ଯିବୁ ରେ ଚାଲି

ଯେତେ ଅନାଚାରୀ, ଅତ୍ୟାଚାରୀର ଦୃପ୍ତ-ବକ୍ଷେ ଆଘାତ କରି ।

ଅତୀତ ଜୀବନ ଶିଥିଳ ସ୍ଵପ୍ନ ଭାଜିବ ଚମକେ ନବୀନ ଆଶେ,

ଆମରି ଚରଣ-ଚିହ୍ନେ ଫୁଟିବ ସୁର-ପାରିଜାତ ପୁଣ୍ୟ-ହାସେ ।

ପଶ୍ଚାତେ ଆମ’ ପଡ଼ିବ ତାପିତ-ଶଙ୍କିତ-ହୀନ-ପତିତ ପ୍ରାଣ-

ମରଣ ଆଗୁଁ ଯେ ବରଇ ମରଣ, ପ୍ରାଣଲୋଭୀ-ନର ଲଜ୍ଜାହୀନ !

ହାଇ ରେ ଜୀବନ, ହୀନ ଦୁର୍ବଳ ଉତ୍କଳ ମା’ର ବକ୍ଷ ଜଡ଼ି,

ଗୌରବ ତାର କଲେ ଅବନତ, ହାଇ ରେ ! ମାନବ ଆତ୍ମା ଧରି !!

ଆଜି ଏ ତରୁଣ ଦଧୀଚି ସଂଘ ଲଂଘିବୁ ଗିରି ସାଗର ପଥ;

ନାଚିବୁ, ଖେଳିବୁ, ଗଢ଼ିବୁ ନୂତନ, ତୋଳିବୁ କୀର୍ତ୍ତସ୍ତମ୍ଭ ଶତ ।

ତରୁଣ ବୁଝିଛୁ ଶକ୍ତି ଆମର, ମରଣ ଆଜି ଟି ଶଙ୍କିତ ରେ,

ଉତ୍କଳ ମା’ର ସନ୍ତାନ ଆମେ, ଜାଳିଛୁ ଅଗ୍ନି ବକ୍ଷ ତଳେ ।

Image

 

ଶ୍ମଶାନ

 

ଜୀବନ ସଂଧ୍ୟା ସାଥିଟି ତୁ ମୋର, ଶ୍ମଶାନରେ,

କେତେ ଜଗତର ଚିତ୍ର ରଖିଚୁ ରୁଦ୍ର କୋଳେ ।

କେତେ ଜୀବନର ସପନ ତୋ ତୀରେ ଯାଇଚି ଲୋଟି

ଡହ ଡହ ତୋର ଅନଳ ଉଠିଛି ଦିବସ ରାତି ।

ନୀରବ ତୋହର ବିଜନ ପଥେ

ସୁଖ ଦୁଖ ଭରା ଖସଡ଼ା ତଟେ

ନିଠୁର ଏ ତୋର ବକ୍ଷ ତଳେ

କେତେ ଜଗତର ସ୍ଵପ୍ନ ଥୋଇଛୁ ରୁଦ୍ର ଭୋଳେ !

 

ସେ ଦିନ ଉଠିଲା ସେ କି ଉତ୍ସବ ! କି ଅଭିନବ !

ଚମକି ପଡ଼ିଲା ଭୋଳାନାଥ ସେହି ପାଗଲ ଶିବ !

ଝରୁଥିଲା ତହିଁ ଚିର ଆଷାଢ଼ର କୁଳୀଶ ଧାରା

ଥରି ଉଠୁଥିଲା ଧରଣୀ ବକ୍ଷେ ସକଳ ଭାରା,

ନଥିଲା ତପନ ନଥିଲା ତାରା,

ନଥିଲା ଏ ଗ୍ରହ ଅଗ୍ନି ମାଳା,

ଖାଲି ତୁ ସେ କାଳେ ଶ୍ମଶାନରେ

କଙ୍କାଳ ବୁକୁ ଖଙ୍କାଳି ଦେଇ ଥିଲୁ ଏ ତଳେ ।

 

କେତେ ଯେ ଜନମେ ମରଣ ସାଗର ହୋଇଛି ପାରି

କେତେ ଯଉବନେ ଲଙ୍ଘିଛି ବନ ଗହନ ଗିରି,

କେତେ ଦୁର୍ବହ ଭାରା ବହି ବୁକେ ତୋହରି ପାଶେ

ବାହୁଡ଼ି ଆସିଚି ଆରେ ଶ୍ମଶାନ ମୁଁ ଅବଶେଷେ,

ସେ କଥା—ସେ ଶତ ଜନମ ଗାଥା

ସେ ଯଉବନର ଗୋପନ ବ୍ୟଥା

ସେ ବୁକୁ ତଳର ମୋହନ ବାଣୀ

ଏତେବେଳେ କି ରେ ଜୀବନ ଦୁଆରେ ପାରିବି ଜାଣି ?

 

ରାଜା ବା ହୋଇଚି, ଭିକାରି ବେଭାରେ ବୁଲିଛି କାହିଁ

ସେ ମୋ ଇତିହାସ ଏ ମର ଜନମେ ଜାଣିବି ନାଇଁ ?

ହାତ ଟେକି କା’ରେ ଅର୍ପିଛି ଧନ, ଘେନିଛି ଅବା

ମୁକ୍ତି ଆଶାରେ ଗଢ଼ିଛି କାହିଁ ବା ଜୀବନ ସଭା-

ଚପଳ ଲୋଚନ ଲୋତକ ଧାରେ

କପୋଳ ପରଶି ପୀରତି ଭରେ

କାହାରେ ବିଦାୟ ଦେଇଛି ହସି

ଫୁଟି ନାଇଁ ଫୁଲ, ଲୁଚିନି ଜ୍ୟୋତ୍ସ୍ନା, ପାହିନି ନିଶି !

 

ଆଜି ଏ କାହାଣୀ ଶ୍ମଶାନ ମୋର କହିବୁନି କି

ଜନମେ ଜନମେ ତୋ କାହାଣୀ ପରା ରହିଚି ବାକି ?

ଇଙ୍ଗିତେ ତୋର ଜୀବନ ଦୁଆରେ ଲାଗିଲେ ନାଟ

ଲୁଚିଯାଏ ପରା ପ୍ରାଣ-ନୀଳାଚଳ ସାହାଣ ବାଟ

ନୀରବ ତୋହର ବିଜନ ପଥେ

ସୁଖ ଦୁଖ ଭରା ଖସଡ଼ା ତଟେ

ନିଠୁର ଏ ତୋର ବକ୍ଷ ତଳେ

କେତେ ଜଗତର ସ୍ଵପ୍ନ ଥୋଇଛୁ ରୁଦ୍ର-ଭୋଳେ ।

Image

 

ଉଠ କଙ୍କାଳ

ଅବତର ଦେବୀ

 

ସ୍ନିଗ୍ଧ ବିଳସିତ ଶ୍ୟାମ ବିପିନ ଶିରୀ

ସୌରଭ ଲଳିତ ବିହାରେ

ସରସିଜ-ରଞ୍ଜିତ ବାତ ବିକମ୍ପିତ

ସରସୀ ଘନ କଳ ତାଳେ,

ମୂଖରି ଗଗନ ଶତ-ବନ ଗିରିପାରେ

ରମ୍ୟ ସରିଦ୍‍ବର ବିସ୍ତୃତ ଜନପଦ

ମାତି ଉଠିବ ନବ ତାଳେ ।ଧ୍ରୁବ।

 

ଶତ ଗିରି ଗୁମ୍ଫିତ ପୁଣ୍ୟ ବିମୋହନ

ଭୀମ ଲଳିତ ନବ ବେଶ,

ମନ୍ଦିର-ମଣ୍ତିତ ଗୌରବ ପୂରିତ

ଏହି ତ ଉତ୍କଳ ଦେଶ ।

 

ଅବତର ଦେବି ସନାତନି ଭାରତି !

ନନ୍ଦନ ସୁନ୍ଦର ବେଶେ,

ତବ ଚିର ପରିଚିତ ଶତ ଯଶ ଘୋଷିତ

ସୁରକୁଳ-ବାଞ୍ଛତ ଦେଶେ ।

 

ବିଘ୍ନ ବିନାଶନ ଶୁଭପଦ ଅମ୍ଵୁଜ

ଅବତର ଶତ ଶିଶୁପ୍ରାଣେ,

କର୍ମ ବିକଶି ଉଠୁ ବରି ତବ ସେ ଚିର-

ଗୌରବ ରମ୍ୟ ବିଧାନେ ।

 

ଅଞ୍ଜଳି ଭରି ଶିଶୁ ରଞ୍ଜିତ କର ଯୁଗ

ସରଗର ପୁଣ୍ୟ ଦୁଆରେ

‘ବନ୍ଦେ ଜନନୀ’ ‘ଉତ୍କଳ ଜନନୀ’

ଡାକଇ ଗୀତ ପ୍ରସାରେ ।

Image

 

ବାରବାଟୀ ବକ୍ଷେ

 

ଉତ୍କଳ ବୁକେ ପାନିପଥ ମୋର, କଥା କହ ବାରେ ବାରବାଟୀ

ରକ୍ତ ଉଜଳ କୋହିନୁର କଣା ଧୂଳି ତୋର, ଖାଲି ନୁହେ ମାଟି ।

ଦମ ଦମ ବୁକୁ ତଳେ ଉନ୍ମୁଖେ ଶମଶାନ ନିଆଁ ଉଠେ ଜଳି

ସଙ୍ଗୀତ ମୋର ଯଉବନ ବନେ କମ୍ପନ ଆଣେ ତାନ ତୋଳି ।

ଅସ୍ତ ଶିଖରୀ ପରପାରେ ରବି, ଯାଆନା ଯାଆନା, ଚାହାଁ ଥରେ

ଢାଳି ଦେ ରେ ତୋର ତରଳ ଅନଳ ଗରଳ ଏ ମୋର ଅନ୍ତରେ ।

ଉଦ୍‍ଗାରି ବିଷ ଏ ମଡ଼ା ମଣିଷ ଦେଶେ ବସି ଗୀତ ଗାଇସାରେ

ହସାଇ ପାଷାଣ, ପ୍ରେତ ପ୍ରତିମାରେ ମରଣ ମଧୁର ଅଭିସାରେ ।

ବାରବାଟୀ ମୋର ଜୀବନ ତୀର୍ଥ, ମହିମା କ୍ଷେତ୍ର ଓଡ଼ିଶାର

ବିପୁଳ ଗର୍ବ କରିଲୁ ଖର୍ବ କେତେ ରାଜା କେତେ ବାଦଶାର ।

ଟଳିଲା ଭୂଧର, ଭେଦି ପାରାବାର ଚଳିଲା କେତେ ଯେ ରଣତରୀ

ଅକୂଳ ବିହାରେ ଗଜପତି କରେ ଉଡ଼ିଲା କେତନ ଥରି ଥରି ।

ଝମ୍ ଝମ୍ ଯେବେ ବୀର ଗଉରବେ କର କରବାଳ ଥରେ ଥରେ

ଜାହ୍ନବୀ ତୀରୁ ପାନ୍ନାର ପାରେ ଚମକାଇ ଦେଲା ଯବନରେ

ବାରବାଟୀ ମୋର ଓଡ଼ିଶା ଚିତୋର ! ବୁକୁଚିରା ତୋର ସଙ୍ଗୀତ,

ଦୁଃଖ ଶୋକରେ ମରଣ ଲୋକରେ ଜାଳିଲା ଜୀବନ ଇଙ୍ଗିତ ।

ମଡ଼ା ପରେ ବସି ଆସ ବିଶ୍ଵାସୀ ଗଣିବା ଏ ରେଣୁ ଗୋଟି ଗୋଟି

ଏ କ୍ଷୀଣ ରେଣୁରେ ଜୀବନ ବେଣୁରେ ଗାଇ ଉତ୍କଳ ଜୟଗୀତି ।

ଏ ବାୟୁ ଲହରେ ପାଇକ ବିହରେ, ପାଇକ ତରୁଣୀ କହେ କଥା,

ଏ ମଧୁ ଅଧରେ ଚୁମ୍ଵନ ଭାରେ ଅସୀ ତଳେ ପତି ଦେଲେ ମଥା !

ଜଳ ଜଳ ଜଳ, ଜଳ ରେ ଅନଳ, ଉଠୁ ଆଗ୍ନେୟଗିରି ତଳୁ

ଶତ ବରଷର କୋଟି କଙ୍କାଳ ରୁଦ୍ଧ ବାସନା ଫିଟି ପଡ଼ୁ ।

ଉଛୁଳୁ ରୁଧିର ବୀର ବାରିଧିର ପ୍ରାଣ-ମନ୍ଦିର ଚହଲାଇ

ମରଣ ଶଙ୍ଖ ଚିର ନିଶିଙ୍କ, ବାଜୁ ଚଞ୍ଚଳ, ବେଳ ନାହିଁ !

Image

 

ବର୍ଷାର ଜୟଯାତ୍ରା

 

ଅଖିଳ ଅବନୀ ଅଭିଯାନ ବାଣୀ ନିହି ଏ ରୁଦ୍ର ବୁକେ

ଆସିଚି ବରଷା ଆଜି ମୁଁ ବଜ୍ର ଡାକେ ।

ଜଗତର ମହା ଧ୍ଵଂସ ମଶାଣେ ଉଡ଼ାଇ ବାଲୁକା ରାଶି,

ଚାଲିଥିଲା କାଲି ଯେ ପଥେ ଅନଳ ରବିକର ରାଶି ରାଶି

ହାହାକାରମୟ ଶୂନ୍ୟ ନୀରବ ଜୀବନର କୂଳେ କୂଳେ

ଆଶା ଭାଷାହୀନ ମରମ ବାରତା ଫିଟି ପଡ଼ିଥିଲା ତଳେ ।

ନବୀନ ମୁଁ ଆଜି ଚିର ପୁରାତନ ସେ ପଥେ ନବୀନ ଯାତ୍ରୀ

ଖାଲି ମୁଁ ରୁଦ୍ର, ଦୁର୍ବାର ଧାରା, ଖାଲି ମୁଁ ଗଭୀର ରାତ୍ରି !

ଅତୀତର ମୁଁହି ଦକ୍ଷଯଜ୍ଞ; ନୂତନର ବନ ଫୁଲ

ଚିର ଅବାରିତ ଅନାହୂତ ମୋର ଅଭିଯାନ ଅବନୀର ।

ଅନାଗତର ମୁଁ କୋମଳ ସୃଷ୍ଟି ବିପ୍ଳବ ମହାରଣେ ।

ନଚାଇ ଚାଲିବି ସୁପ୍ତ ବିଶ୍ଵ କାନ୍ତ କଠୋର ତାନେ ।

ନାହିଁ ମୋ ରାଗିଣୀ ଛନ୍ଦ-

ଅଖିଳ ଅବନୀ ଅଭିଯାନ ଘେନି ଚାଲିବି ଆଜି ମୁଁ ଅନ୍ଧ ।

ସେଦିନର ମୁହିଁ ଭାର୍ଗବ ବୀର ଖଡ଼୍‍ଗ କୁଠାର ହାତେ

ସେ ଦିନର ମୁହିଁ ବନମାଳୀ-ବେଣୁ ଅକୂଳ ଯମୁନା ତଟେ

ଚୂରିବି, ମାରିବି, ରୁକ୍ଷ, ନିଠୁର କରିବି ଶାନ୍ତ ଧରା

ଆସିଛି ଆଜି ମୁଁ ସୁଦୂର ଯାତ୍ରୀ ଭାଙ୍ଗି ନିୟୁତ କାରା ।

ଯେତେ ପୁରାତନ ଛନ୍ଦ-

ସବୁଥିରେ ମୋର ଭରିଦେବି ଚିର ନୂତନ ଆକୁଳ ଗନ୍ଧ ।

ଅଚପଳ କେତେ ପାଷାଣ ପରାଣ ଚମକିଉଠିବ ଆଜି ।

ପୁରାତନ ଗଳୁ ଗଳିପଡ଼ିବ ହେ କ୍ଳାନ୍ତ କୁସୁମ ରାଜି ।

ସ୍ଵପ୍ନ-ପାଗଳ ବୁକେ ଢାଳି ମୋର ଯଉବନ ସନମାନ

ଅଜଣା ସୁଦୂର ଜୀବନେ କରିବି ଶେଷ ମହା ଅଭିଯାନ ।

Image

 

ଆଶୀର୍ବାଦ

 

ଦୁର୍ଗମ ଏ ଯାତ୍ରାପଥ, ଯାତ୍ରୀ ହୁସିଆର

ବକ୍ଷ ତଳେ ଶୁଣ ତୁ ଆଜି ଲକ୍ଷ ହାହାକାର ।

ସଙ୍ଗୀ ତୋର ନାଇଁ କେ ପାଖେ, ଅନ୍ଧକାରେ ଚାଲ

ଲକ୍ଷ୍ୟ ତୋର ଏଇ ଯେ ଆଗେ ସତ୍ୟ ଅହିଂସାର ।

 

ଦୁସ୍ତର ଏ ସିନ୍ଧୁ ପଥ, କମ୍ପିଉଠେ ତରୀ

ଲକ୍ଷ ଶତ ତରଙ୍ଗରେ ଯାଆ ତୁ ନାଇଁ ଡରି ।

ମଶାଲ୍ ଜଳେ ଏଇ ଯେ ଦୂରେ ଦିଗ୍‍ବଳୟ ପାରେ

ଲକ୍ଷ୍ୟ ରଖ ଶାନ୍ତି ଆଉ ସତ୍ୟ, ଅହିଂସାରେ ।

 

ଦୁର୍ଗମ ଏ ଶୈଳଚୂଡ଼ା, ମୃତ୍ୟୁ ହସେ ତଳେ,

ନୁଆଖାଲିର କୁଟୀର ତଳୁ ଦୃଶଦ୍‍ବତୀ ତୀରେ ।

ଶ୍ରାନ୍ତ ନୁହ, ଭ୍ରାନ୍ତ ନୁହ, ମୁକ୍ତ ହୁଅ ବୀର

ଆଶୀର୍ବାଦ ଘେନ ତୁ ମୋର ସତ୍ୟ ଅହିଂସାର !

 

ଜାନୁଆରୀ–୧୯୪୯

Image

 

ମୁକୁଟ ଓ କୌପୀନ

 

ସେ ପଟେ ଉଠଇ ତୋପ ବନ୍ଧୁକ

କମ୍ପାଇ ବସୁମତୀ

ଉଠଇ ଏ ପଟେ କୋଟି ଜନତାର

କଣ୍ଠ ତଟର ଗୀତି ।

ଏ କି କୋଳାହଳ, ପଚାର ଯାତ୍ରୀ,

କାହାର ଏ ଅଭିଯାନ ?

ଶୁଣିବ-ଏ ପଟେ ରାଜମୁକୁଟକୁ

ସେ ପଟରେ କୌପୀନ !

ଯୁଗଯୁଗାନ୍ତ ଅନ୍ଧାର ଗିରି-

ଗହର ତଳେ ଥାଇ

ଲଭିବ ସିନ୍ଧୁ ସଂଗମ ବୋଲି

ଆସିଲା ଯେ ନଈ ଧାଇଁ

ଏତେ ଦିନେ ସେଇ ନୀଳଗିରି-

ଗିରି ଗହର ହୋଇ ପାରି

କଙ୍କାଳକୁଳ ରୁଦ୍ଧ ଜୀବନ

ମୁକ୍ତିର ଅଧିକାରୀ !

Image

 

ପାଉଚି ଗଭୀର ରାତି

 

ଏଇ ଚାଲିଯାଏ ଯୁଗ ପରାଧୀନ-ଘୋର ବିଷାକ୍ତ କାଳ

ଏଇ ପଥେ ପଥେ ଚାଲିଗଲେ କେତେ ଶିଖିମନାଇର ଦଳ ।

ବାଟୋଇ ଭାଇ ରେ, ପାଦ ପକା ଧୀରେ, ସାବଧାନ ସାବଧାନ,

ଦୁର୍ଗମ ପଥେ ଆହୁରି ଅଛି ତୋ ମୁକ୍ତିର ଅଭିଯାନ ।

 

ଏଇ ଚାଲିଯାଏ ପରାଧୀନ ଯୁଗ, ବାଟୋଇ ତୁ ରଖ ମନେ

ଏଇ ଦେଶେ ଥିଲେ ସେ ଜୟଚନ୍ଦ୍ର ପ୍ରତିହିଂସାରେ ଦିନେ ।

ପରକୁ ନମାରି ଆପଣାରେ ମାରି ମାଇଲେ ଆପଣା ଜାତି

ଏତେବେଳେ ତୁଇ ସାବଧାନ ଭାଇ, ପାଉଚି ଗଭୀର ରାତି ।

 

ହେଲା ଶେଷ ଭାଇ ଯୁଗ ପରାଧୀନ, ଦୁର୍ବହ ମହାକାଳ

ଏଇ ଦେଶେ କେତେ ଜନମି ଥିଲେରେ ନିମକହାରାମ ଦଳ !

ଆପଣାର ତୋଟି ଆପେ ସେ କାଟିଲେ, କାଟିଲେ ଜାତିର ତୋଟି

ଆଜି ରେ ବାଟୋଇ, ତୋତେ ଅଛି ଚାହିଁ ଓଡ଼ିଆ ଏ ଦେଢ଼ କୋଟି ।

 

ଜୁନ୍–୧୯୪୭

Image

 

ପାଷାଣୀର ବ୍ୟଥା

 

କେତେ ଯେ ମୁକୁଳ ଆକୁଳେ ବନେ

ନମାନି ତିମିର ଫୁଟିଲେ ମନେ,

ବିଭୋଳ ପଥିକ ଜାଗିଲେ କ୍ଷଣେ

ଚକିତେ ବିଜନ ପଥେ,

କେତେ ଯେ କୁମାର ଗଲେଣି ଚାଲି

କୁସୁମେ ସଜାଇ ଧରଣୀ-ବାଲି,

ଚପଳ ଲୋଚନ ଚାହାଣି ଖାଲି

ଚଳାଇ ପ୍ରଣୟ-ରଥେ ।

କେତେ ଯେ ବରଷ ବରଷ ଗଲା

ଏ କାଳ-ସାଗର-ପୁଳିନେ ଭଲା,

ଦିନ ଦିନ ଶତ ଲହରୀ-ମାଳା

ନିଖିଳ ଧରଣୀ ତଳେ ।

ଗାଇଲେ ରାଗିଣୀ ପ୍ରଣୟାବେଶେ

ଗହଳ ଜଳଦ ତିମିର ଦେଶେ

ହସିଲା ଚପଳା କି ନବ ବେଶେ,

ଫୁଟିଲା କମଳ ଜଳେ ।

ସେ ଦିନ ସୁଦୂର ଶିଖରୀ ତଟେ-

ଏଇ କାଲିପରି ଚିତେ ପ୍ରକଟେ,

କାଟିଲା କେ ତନୁ ନିଦୟ ଚୋଟେ-

ମୁଗୁନି ପଥର ମୁଁ ଯେ;

ଝାଳବୁହା କର ପରଶ ଲାଗି

ନିମିଷକ ତହିଁ ଉଠିଲି ଜାଗି,

ଦେଖିଲି ତରୁଣ କାହାର ଲାଗି

ମୋ ଦେହେ ଦେବତା ସୃଜେ ।

କେତେ ଯେ ବରଷ ଗଲାଣି ଚାଲି

ତନୁ ଅବଶେଷ ହେଲାଣି ବାଲି,

ଆହା ! ମତେ ଲାଗେ ସତେ ବା କାଲି

ଉଠିଲା ପାଷାଣୀ ଚାହିଁ !

ନବ କାରିଗର ତରୁଣ ଯୁବା

ରଚିଲେ ମାନସେ ତରୁଣୀ-ସଭା

ସେ କଳପନାର ତୁଳନା କିବା !!

ଉର୍ବଶୀ ମୁଁ ଯେ ତହିଁ !!!

ଚଳ ଲୋଳ ବେଣୀ ଚଳାଇ ଦେଇ

ତରୁଣ ମାନସେ ନାଚିଲେ କେହି,

ବରଣ କରି ସେ ସୁରୂପ ଦେହୀ

ସୁଦୂର ପଲ୍ଲୀ ପଥେ;

ନିବିଡ଼ ମିଳନ ପୁଲକ ହାସେ

ଅଧରୁ ଝରିଲା ମାଧୁରୀ ଭାଷେ

କି ବ୍ରଜ ନଗର ନୀରବ ରାସେ

ନାଚିଲା ଜୀବନ ସତେ ।

ମୋର ତନୁ ପରେ ତରୁଣ କବି

ସେ କଳପନାର ଲେଖିଲେ ଛବି,

ଗଗନେ ଚନ୍ଦ୍ର ତାରକା ରବି

ସାକ୍ଷୀ ସେ କାଳ କାଳ;

ରଚିଲେ ଏ ମୋର ଚରଣ ତଳ

ସ୍ମରଣେ ଫୁଟାଇ କମଳ ଦଳ,

କି ଝିନ ବସନେ ସଜାଇ, ମୋର

କଣ୍ଠେ ଏ ଦେଲେ ହାର !

ବଦନ ଫୁଟିଲା ସେ ଯୁବା ହାତେ-

ଦୂର ପୁରେ କାହିଁ ଗଭୀର ରାତେ

ଚିର ବିରହିଣୀ ଲଭିଲା ସତେ

ପ୍ରୀତି-କମ୍ପିତ ହାସ,

ତରୁ ତଳେ ତଳେ ଚପଳ ଲୀଳା-

ବୁଝି ମୁଁ ପାରିଲି କେ ପ୍ରେମଶୀଳା

ପରାଣେ ପରଶି ଲଗାଇ ଥିଲା

ମାନସ-କୁଞ୍ଜେ ରାସ ।

କୁନ୍ତଳେ ଖୋସି କୁସୁମ କଳି

ନୟନ କରୁଣ କରିଲେ ଧରି

ଅଧରେ ମୋ ଦୂର ପୁର ନାଗରୀ

କଳ୍ପନା ଭରି ମନେ,

ମାଜିଲେ ଚିବୁକ, ବାଜିଲା ଯେବେ

ସରୋଜ ବଦନେ ସେ କର ଭବେ

ନବ ଆଭରଣ କି ଅନୁଭବେ

ଦେଲେ ମୋ ଅଙ୍ଗେ କ୍ଷଣେ ।

ସେ ଦିନୁ କେତେ ଯେ ଦିବସ ନିଶି

ଏ ମହା କାଳରେ ଗଲାଣି ମିଶି,

ସେ ଦିନୁ ଦେବତା ବୋଲାଏ ବସି

କାଳ-ପାରାବାର ତୀରେ;

ଦେବତା ମୁଁ ନୁହେ, ମର ମାନସୀ,

ପ୍ରଣୟ-ଆତୁର ରଚିଲେ ବସି-

ସେ କଳପନାର ରୂପ ବିକାଶି

ସେ ଦିନ ଉଠିଲି ଧୀରେ ।

ଚୁମ୍ଵନ ଆଶେ ଲୋକ ଅଧର

କରିଲେ ତରୁଣ ପ୍ରଖରତର,

ନିଷ୍ଠୁର କେଡ଼େ କରିଲେ ପର

ନ ଛୁଇଁ ଅଧର ଥରେ;

ବଚନ ଶକତି ନ ଦେଇ, ଛାତି

କରିଲେ ପାଷାଣ ଦିବସ ରାତି

ଦେବତା ବୋଲାଏ, ନାହିଁ ମୋ ସାଥୀ

ଅଶ୍ରୁ ମୋ ନାହିଁ ଝରେ !

ହେ ମୋର ଭକତ ଅନୁରକତ

ଚିର-ବିରହିଣୀ ପାଷାଣୀ ପଥ

ଚିରଦିନ ଲାଗି ତିମିର-ଗତ

ବହେ ଏ ବିପୁଳ ବ୍ୟଥା,

ଆକୁଳ କରିଛି ଅଖିଳ ମହୀ

ନିବିଡ଼ ବେଦନା ନୀରବେ କହି,

କେତେ ଯେ ବରଷ ଗଲାଣି ବହି

କହିବନି କି ସେ କଥା ?

ପର ପୁରବାଳା ପାଷାଣୀ ମୁଁହି

ରଘୁପତି କିଏ ଦେବେ କି ଛୁଇଁ ?

ହେମ ପାଲଟିବ ପାଷାଣ ଭୂଇଁ

ଜାଗିବି ଜୀବନ ଧରି;

ମିଳନ-ବାସର ମଧୁର ଆଶା

ବହି ମୁଁ କହିବି ମାନବ-ଭାଷା,

କରିବି ଧରଣୀ ପ୍ରୀତି-ସରସା

ବୁଲିବି ଭୁବନ ଭରି ।

ଶତ କୋଟି ଦିନ ଦେବତା କରି

ମୋ ପ୍ରାଣ-ପ୍ରଣୟୀ ଗଲେ କି ଭୁଲି

ଖୋଜିବି ସାଗର ଗଗନ ଗିରି

ନାରୀ ମୁଁ ରହି ବି ଜାଗି,

ପିଇବି ପାଇଲେ ପ୍ରୀତି-ମଦିରା

ଏଥି ଲାଗି ସିନା ଏତେ ଅଧୀରା

ନାରୀ ମୁଁ ହୋଇବି କୋମଳ-ଗୀରା

ମୋହରି ପ୍ରଣୟୀ ଲାଗି ।

ନ ଆସ କିଶୋରୀ, ନ ଆସ ନାରୀ,

ନ ଆସ ଗେରୁଆ-ବସନାଧାରୀ,

ଦେବତା ମୁଁ ନୁହେ, ଦେବତା ପରି

ନ ଦେଖ ପାଷାଣେ ତିଳେ,

ନିବିଡ଼ ତିମିର ବରଷା, ଶୀତ

ରବି ଗ୍ରହ ତାରା କାହିଁ ନାହିଁ ତ

ମନ ମୋର ଏ ଯେ ପାଷାଣୀ ଚିତ

ଜାଗିବ ଏ କାଳ-ତୀରେ ।

Image

 

ହେ ମୂକ ଦେବତା କହିବ ?

 

ଘନ ବଟତଳ ଲୀଳାବିଳାସିନୀ ଦେବି ଗୋ

ଏ ଯେ ପୁରବଧୂ କିଶୋରୀ ଚରଣେ ସେବି ଗୋ

ଦର ମୁକୁଳିତ କଳି ଦେଲେ ବାଢ଼ି ଚରଣେ

କହି କି ପାରିବେ ଇତିହାସ ମୋର ମରମେ ?

ଯେ ଦିନ ଉଠିଲା ନୀପ ବଟ ଚୂତ ବକୁଳ

ମାଧବୀ ମାଳତୀ ମଲ୍ଲିକା କଲେ ଆକୁଳ

ଧରଣୀର ଏହି ନିର୍ଜନ ପଥ ପ୍ରବାସେ,

ରଚିଲା କେ ଆସି ଏ ପୁରପଲ୍ଲୀ ଆବାସେ ?

ପଥ ଫିଟାଇଲା ଅପଥେ ଯେ ଲତା ଗହଳେ,

ବରଣ କରିଲା ତରୁମୂଳେ ଜନ ଚହଳେ

ସେଦିନ ଜନର ଫୁଲମାଳ ଆଜି ଅଛି କି

ତବ ଆସ୍ଥାନୁ ଦେଇ କେ ପାରିବ ବାଛି କି ?

ସିନ୍ଦୂର ଦେଲା ବୋଳି ଯେ କର୍ମ-କିଶୋରୀ

ପାଷାଣି ଗୋ, ଆଜି ଦେଇଛ କି ତାରେ ବିସୋରି ?

ପ୍ରଥମ ତିଳକ ଦେଲା ତବ ଭାଲେ ଯେ କର

ସେ କର ପରଶ ସତ୍ୟ ଯୁଗର ମୁକର !

ଚରଣ ଅଳତା ଛାପ ଛାଇ ପଥ ଦୁଆରେ

ଶୁଭ କିଙ୍କିଣୀ ବଜାଇଲା ଯେହୁଁ ବାହାରେ,

ସୁକୋମଳ ନୀପ କଳି ଦେଲା ତୋଳି ଯେ ବାଳୀ

ମନେ ଅଛି ସତେ, ଜାଳି ଯଉବନ ଦୀପାଳି ?

ଦଶ ବାରଟି ସେ ନୀରବ ଦୁସ୍ଥ କୁଟୀରେ

ବନ୍ଦନା ଲୀଳା ପ୍ରକଟିଲା ପରିପାଟିରେ ।

ସେ ଦିନ ଲଗ୍ନ ବେଳା ଆଜି କେବେ ପଡ଼େ କି ?

ସେ ଦିନ ପାଟଳ ଚୂତ ଡାଳ ଆଉ ଥରେ କି ?

ଆଜି ନବ ଭାଷେ ହେ ମୂକ ଦେବତା କହିବ,

ପଥଚାରୀ ଆଜି ମାନସ-ମୁକୁରେ ବହିବ-

ସେ ଦିନର ଛାଇ, ସେ ଦିନର ଶୋହା ପରମ,

ଦୁଃଖହାରିଣୀ, ଏ କି ତବ ମୂକ ଧରମ ?

ଖାଲି ମୁଁ ଦେଖିବି; ଆସୁ ଆଜି ସେହି ଚତୁରୀ

ଖାଲି ଉଠୁ ତାର ବଦନେ ହାସ୍ୟ ଉତୁରି ।

ପୁଟୁ ଖାଲି ତାର ପଦ ତଳେ ଶତଦଳ ଗୋ ।

ବଚନ ତା ହେଉ ଖାଲି ବାରେ କଳ କଳ ଗୋ ।

ପଲ୍ଲି ଏ ଆଜି ଦୁଃଖ ରାଗିଣୀ-ମୁଖରା,

ଚିତ୍ତେ ରଚିଛି ଆଜି ଦୁଖ ଗୀତି ପ୍ରଖରା ।

ଏ ତଳେ ରଚିବି ଆଜି ମୋର ଦୁଃଖ ଶୟନ

କରୁଥିଲା ଯହିଁ କିଶୋରୀ କୁସୁମ ଚୟନ ।

ଏ କଳ ଦେବତା ଶାସିତ ନଗର ବିହାର

ଆଜି ବରଜି ମୁଁ ଆସିଛି, ଦିଅ ଗୋ ଆହାର

କ୍ଷୁଧିତ ତରୁଣ, ପଲ୍ଲି ଗୋ ଦିଅ ବିଚାରି

ଜୀର୍ଣ୍ଣ ବିମୂଢ଼ ବକ୍ଷ ଦୁଆର ବିସାରି ।

ଫୁଟୁ ଫୁଲ, ପୁଣି ବସେ ଏହି ଶିଳା ତଳପେ,

ଦିବସ ଯାମିନୀ ଯହିଁ ଗୌରବ ବିଳପେ ।

ପଙ୍କ ମଳିନ ବକ୍ଷ ଗୋ ଆଜି ଉଜଳୁ,

ଝରୁ ଗଦ୍‍ଗଦ ଭାଷା ଗୋ ଏ କବି ଅଧରୁ ।

ଶୁଭୁ ହୁଳହୁଳି, ଶୁଭ କଙ୍କଣ ରାଗିଣୀ,

ଶୁଭୁ ମୃଦଙ୍ଗ ଭାଗବତ ଯେବେ ଜାଗିନି ।

ହେ ପାଷାଣି, ଆଜି ନଚାଅ ଗୋ ପୁର ସରଣୀ

ଗଲେ କାହିଁ ସେହି ସୁକୁମାରୀ ବ୍ରତଚାରିଣୀ ?

କି ଜନମେ କେବେ ଆସିଥିଲି ତବ ପରଶେ

ମନେପଡ଼େ ମୋର ଶତ ସହସ୍ର ବରଷେ !

କେବେ ଗୋ ଆସିବି ଫେରି ପୁଣି ଶୁଭ ଚରଣେ

ଭେଟି କି ପାରିବି ପାରିଲେ ମୁଁ ଦିନେ ମରଣେ ?

ଥରେ ବା ଲଭିବି ଏ ଫୁଲ ପରଶ କପାଳେ

ଥରେ ବା ଘେନିବି ବରଣ ମାଳା ମୁଁ ଅକାଳେ ।

ମରଣେ ବା ଥରେ କରିବି ସେ ଶୋଭା ଲୋକନ

କହ ତରୁତଳବାସିନୀ କହ ଗୋ ବଚନ ।

Image

 

ବାପୁଜୀ

 

ଲଘିଂ ପଥ ଶତାବ୍ଦୀର

ଅକୂଳ ପାରାବାର

ଲାଗିଛି ତରୀ ଏଇ ତ କୂଳେ;

ଯାତ୍ରୀ ହୁସିଆର !

 

ତିମିର ତଳେ ଝଞ୍ଜା ବହେ,

ବଜ୍ର ଉଠେ ନାଚି

କେତନ ଆଜି ଉଡ଼ାଇ ଚାଲେ

ଦେଶର ସବ୍ୟସାଚୀ !

 

ଯୁଗ ଯୁଗାନ୍ତ ତିମିର ଅନ୍ତେ

ତୁମେ ହିଁ ଅବତାର

ବାପୁଜି ! ତୁମ ଚରଣେ ଘେନ

ଏ ଜାତି ନମସ୍କାର !

Image

 

ବାଣୀ ବନ୍ଦନା

 

ଅବତର ଆଭାମୟି ! ନବ ବରଷେ,

ତମାଳ-ବକୁଳ-କୁଳ କୋମଳ ହାସେ

ମଧୁ-ବିପିନ-ବିତାନେ, ମଧୁପ ମଧୁ ଗୁଞ୍ଜନେ,

ଆଜି, ବିଗଳିତ କିଶଳୟ ମୁକୁଳ ବାସେ ।

ହିମାଚଳ-ଚଳ-ଘନ ଅଳକେ ଝଳି

ତରଳ-ସଲିଳ-ଲୀଳା ଖେଳେ ଉଛୁଳି

ଚୁମ୍ଵି କୁମାରୀ-କୁନ୍ତଳ, ଜାହ୍ନବୀ-ଯମୁନା ଜଳ,

ବହେ ମଳୟ-ମଚୁତ ମୃଦୁ ପରଶେ ।

ଉଦାସେ ଜଗତ-ଉଷା ପାଶେ ପୁଲକେ

ମାନବ-ନବୀନ-ହାସ-ଚାରୁ ବିଲୋକେ

ଆଶିଷ-ଆଲୋକେ ଢଳି, ବିଧୁ-ବିଭାସେ ଉଛୁଳି,

ସରସ୍ଵତୀ କୂଳ ସାମ-ସ୍ମୃତି ବିକାଶେ ।

କମଳବାସିନି ! ଆସ ଆସ ବ୍ୟାସ ଜନନୀ ।

ଆସ ମା ନନ୍ଦନବନ ପୁଲକ ଘେନି

ଦେଖ ତୋ ସନ୍ତାନ-ବେଶ ଏ କି ତୋ କାଞ୍ଚନ ଦେଶ ।

ଧୂଳି ବେଶେ ଉଭା ଆଜି ପର ଧରଷେ ।

ଆଜି ମା ସରଗୁଁ ଫୁଲ ପଡ଼ୁ ଗୋ ଝରି

ସରଳ ତରଳ ଶିଶୁ ସରଣୀ ଭରି,

ନିୟୁତ ପିପାସା-ଧାରା ପ୍ରସରି ପରାଣ ସାରା,

ପରସନ-ହାସେ ନୀଳ-ଆକାଶେ ମିଶେ ।

ଋଷିକୁଳ-ନିସେବିତ ଏହି ଧରଣୀ

ଏହି ହିମାଚଳ ତୋର ଯମୁନା-ବେଣୀ

ସ୍ଵରାଜ ସମ୍ପଦ ଭାସେ ଆସ ମା ! ଅନନ୍ତ ବେଶେ

ସରଗ ବିଳସୁ ନର-ପରାଣ ଦେଶେ ।

ଏ ଶତ ପରାଣଭରା ପୀରତି ନୀରେ

କୋକିଳ-କଳାପ-କଳ-ଗୀତି-ଲହରେ

ଭସାଇ ପିପାସା-ତରୀ ସନ୍ତାନେ ଯିବୁ ଗୋ ତରି

ଜନନୀ ଜନମ ଭୂଇଁ—ସ୍ଵରାଜ ଦେଶେ ।

Image

 

ବିଘ୍ନେଶ

 

ଅଭିନବ ଆଜି ତରୁଣ ବିଶ୍ଵେ ଆସ ସୁରବର ପୁଲକ ଅଙ୍ଗେ

ଆଜି, ଯୁଗ-ସଞ୍ଚିତ ନିବିଡ଼ କୁଞ୍ଜେ ନାଚେ ସଙ୍ଗୀତ ମାନବ ସଙ୍ଗେ ।

ଫୁଲି ଉଠେ ଦୀନ କଙ୍କାଳ ବୁକେ ଏ କିବା ବାସନା ଚିର ଅଶାନ୍ତ

ନୂତନର ଏ କି ନବ ଅଭିଯାନ ଏ କି ଆବାହନ କୋମଳକାନ୍ତ !

(କୋରସ୍)

ଆଜି, ବାଜି ଉଠୁ ତବ ବିଜୟ ବଂଶୀ ଉଚ୍ଚକିତ ଏ ଜୀବନ ଯନ୍ତ୍ର

ଚୂର୍ଣ୍ଣିତ କର ସକଳ ବଂଧ ଉଜ୍ଜ୍ୱଳ କର ଜୀବନ ମନ୍ତ୍ର ।

 

ନନ୍ଦନ ବନ ଯାତ୍ରୀ ଆମେ ହେ ମର୍ମେ ମର୍ମେ ଚମକ କାନ୍ଦେ

ବନ୍ଧନ ଭାବେ ମିଶିଯିବ ତା’ର ଅନ୍ଧ ନୟନେ ନିବିଡ଼ ଛନ୍ଦେ,

ଲୋଡ଼େ ପରା ଆଜି ଆଶା ଭେଟିବାକୁ ସଂଗୋପନେ ତା ସୁଦୂର ଲକ୍ଷ୍ୟ

ଧରଣୀର ଏଇ କୁଞ୍ଜ କୁଟୀରେ ଥରିଉଠେ ଶତ ତରୁଣ ବକ୍ଷ

(କାରସ)

ଆଜି, ବାଜି ଉଠୁ ତବ……ଜୀବନ ମନ୍ତ୍ର ।

 

ସେ ଦିନ ଶୁଭିଲା ଦକ୍ଷ ଦୁଆରେ ଶଙ୍କର କରେ ଗଭୀର ଢକ୍‍କା

ନାଚିଲା ସେ ଦିନ ତାଣ୍ତବ ଖେଳେ ବିପୁଳ ବିଶ୍ଵ ଆଦରି ଶଙ୍କା,

ଶାନ୍ତି ଆସିଲା କ୍ଳାନ୍ତ ମରମେ, ଲାଞ୍ଛନା ହେଲା ସେ ଦିନ ଚୂର୍ଣ୍ଣ

ଘେନ ଆବାହନ ହେଉ ଆଜି ସେହି ଯୁଗ ଯୁଗାନ୍ତ ବାସନାପୂର୍ଣ୍ଣ ।

(କୋରସ)

ଆଜି, ବାଜିଉଠୁ ତବ……ଜୀବନ-ମନ୍ତ୍ର ।

 

ଦୁର୍ଗମ ଗିରି ସାଗର ସେ ପାରେ ଚାଲୁଛି ତରଣୀ ନାଚୁଛି ଝଞ୍ଜା

ଶଙ୍କିତ କରି ଘେରି ବସେ କେତେ ପଲକେ ପଲକେ ଚିପଦ-ଫଝା,

ଉଜ୍ଜ୍ଵଳ ତବ ଶରତ ସଙ୍ଗେ, ଉନ୍ମୁଖ ତବ ଆର୍ଷ କଣ୍ଠ

ନୀରବେ ଚାଲିବ ନବୀନ ଯୁଗର ପଥହରା କେତେ ଲକ୍ଷ୍ୟଭ୍ରଷ୍ଟ ।

(କୋରସ୍)

ଆଜି, ବାଜିଉଠୁ ତବ……ଜୀବନ ମନ୍ତ୍ର ।

 

ବୈଦିକ ବନେ ଆସି ଯାଜ୍ଞିକ, ଶିଶୁକୁଳ ଆଜି ସାଧିବେ ମନ୍ତ୍ର

ମିଳିତ କଣ୍ଠେ ଦିବସ ରଜନୀ ଅବନୀ ଆକାଶେ ରଚିବେ ତନ୍ତ୍ର,

ଜୀବନ ନାଚିବ ପାଷାଣେ ପାଷାଣେ, ଗଙ୍ଗା ବହିବ ସାହାରା ବକ୍ଷେ

ଯାତନା ବେଦନା ରୁଦ୍ଧ ଦୁଆର ମୁକ୍ତି ଲଭିବ କିଶୋର ଚକ୍ଷେ ।

(କୋରସ୍)

ଆଜି, ବାଜି ଉଠୁ ତବ…..ଜୀବନ ମନ୍ତ୍ର ।

Image

 

ଜନ୍ମାଷ୍ଟମୀ

 

ବର୍ଷା ଆସ, ବିଜୁଳି ହସ ପ୍ରଳୟ କର, ପ୍ରଳୟ କର

ଜନ୍ମ ଆଜି ଘେନିଛି ଜଣେ ଉତ୍ସ ଫୁଟେ ବନ୍ଦନାର

ବନ୍ଦୀ ଘର ଯିବରେ ଫାଟି

ସ୍ଵର୍ଣ୍ଣ ରସେ ଏ ଧୂଳି ମାଟି-

ପାଲଟିଯିବ, ଓଲଟି ଯିବ,

ଗର୍ବ ଯିବ ଶୃଙ୍ଖଳର;

ଆସ ହେ ବୀର, ଆସ ହେ ବୀର !

 

ବନ୍ଦିନୀ ମା ବନ୍ଦନା ଏ ଛନ୍ଦ ତୋଳି ଶୁଣାଅ ସ୍ଵର-

ପ୍ରଳୟ ପଛେ ଚାଲରେ ଆଜି ଭାଲେ ଏ ବହି ଅଗ୍ନିଶେଳ,

ପଡ଼ିବେ ଶୋଇ ସକଳ ଦୀନ,

ଛିନ୍ନ ହେବେ ଘୃଣ୍ୟ ହୀନ ।

ଚାଲିବ ତୁମେ, ଚାଲିବୁ ଆମେ,

ନୃତ୍ୟ କର ନୃତ୍ୟ କର !!

ବଜ୍ର ଧର ! ବଜ୍ର ଧର !!!

 

ବର୍ଷା ଆସ, ଆସ ହେ ଆସ ଫୁତ୍‍କାରି ସେ ପ୍ରଳୟ-ରାସ,

ଏ ଜନପଦ, ସରିତ, ହ୍ରଦ ସରିତପତି ବକ୍ଷେ ବସ !

ଅଟ୍ଟହାସେ ହସ ହେ ଥରେ,

ଶଙ୍କଟ ଯା’ ମିଳୁ ଏ ପୁରେ,

କ୍ଷିପ୍ତ କର ଦୀପ୍ତ କର,

ବିଦ୍ୟୁତର ମନ୍ତ୍ର ଜାଳ;

ଆସ ହେ ବୀର, ଆସ ହେ ବୀର !

 

ବର୍ଷା ଆସ ବର୍ଷା ଆସ କୁଟୀର ତଳେ ପ୍ରାସାଦ ଚୂଳେ;

ଦୁର୍ବା ଖେତେ ଦେବ ଦାରୁରେ ସ୍ପର୍ଶ କରି ସମାନ ତାଳେ;

ବନ୍ଦୀ ଘରେ ରଙ୍ଗପୁରେ

ମୃତ୍ୟୁହୀନ ନନ୍ଦନରେ

ସିକ୍ତ କର, ବ୍ୟକ୍ତ କର

ଯୁକ୍ତ କର ଦାନବ, ସୁର;

ଆସ ହେ ବୀର, ଆସ ହେ ବୀର !

Image

 

ଦୁର୍ଗମ ଯାତ୍ରୀ

 

ଧୂମ୍ର ବିକଳ ଗିରି ପଦତଳ, ଅନଳ ରଚଇ ଖେଳ,

ମଧ୍ୟ ଗଗନେ ତପନ ବିରାଜେ, ନିର୍ଜନ ଖରାବେଳ,

ଚାଲେ ସନ୍ୟାସୀ ବାଟ,

ଚଉଦିଗେ ଅବା ବହ୍ନି ଉଗାରି ଶଙ୍କର କରେ ନାଟ !

ଗୁରୁ ଭାରାକୁଳ ସନ୍ୟାସୀ ମୁଖ ଉଠେ ଭାବନାରେ ପୂରି

ଆଗେ ମରିଚିକା, ଚରଣ ତଳରେ ଅନଳ ପାଲଟେ ଧୂଳି

ପଥ କାହିଁ, ପଥ କାହିଁ ?

କ୍ଳାନ୍ତ ବିହଗ କୁଳାୟେ କହଇ ଦୂର ତରୁ କୋଳେ ଥାଇ ।

ବହେ ସନସନ ତପ୍ତ ପବନ, ଜନପଦ ଜନହୀନ;

ସନ୍ୟାସୀ ପଛେ ଚାଲଇ ଭକ୍ତ-ନିରଳସ, ଉନ୍ମନ ।

ପଛରୁ ଶୁଭିଲା ବାଣୀ-

ଗୁରୁଦେବ, ପଦ କର ମନ୍ଥର, ପଥ ହେଉ ନାହିଁ ଜାଣି ।

ବାରି ହେଉ ନାହିଁ ଦୂର ତରୁ ସୀମା, ଏ ତ ନୁହେ ପରିଚିତ

ଦିଗ୍‍ବଳୟର ସୀମାରେଖା ପାରେ କାହିଁ ସେ ଲକ୍ଷ୍ୟପଥ,

ଦିବସର ଅବସାନେ

ଛାଇ ପାଲଟିବ, ଏଇ ଦେଖ ଦୂରେ ଜଳଦ ଈଶାନ କୋଣେ ।

ନାଚି ଉଠେ ଦେଖ ଧୂର୍ଜଟି ସମ ଚପଳ ଝଞ୍ଜାବାୟୁ

ସଂଯୋଇ ନଈ ତୀର ତରୁରେଖା ବାରି ହେଉ ନାଇଁ ଆଉ

ବିପ୍ଳବ ଉଠେ ଏ ଯେ !

ଶୁଣାଅଛି ଏଠି ଅଦିନ ବର୍ଷା ପ୍ରାଣ ସଂକଟ ସୃଜେ ।

ଧରା, ଗିରି, ନଭ ଧରି ଏ ଘୂର୍ଣ୍ଣି ମାତିଉଠେ କ୍ଷଣୁ କ୍ଷଣ,

ଧୂଳି ଧୂସରିତ ଧରଣୀ-ବୁକୁରେ ବର୍ଷାର ଅଭିଯାନ,

ବଦନ ଉଠାଇ ଧୀରେ

ଗୁରୁ ଗମ୍ଭୀରେ କହେ ସନ୍ୟାସୀ—ଯାତ୍ରୀ ତୁ ଡର ନା ରେ !

କ୍ଷୀଣ ଜଳଧର ବିପୁଳ ବେଗରେ ତପନ କରିବ ଗ୍ରାସ

ଆମରି ଯାତ୍ରାପଥରେ ଏ ସିନା ଭାଗ୍ୟର ପରିହାସ !

ପଥ ବଡ଼ ଦୁର୍ଗମ

ଭଜି ନ ପାରିଲେ କଥା ଅଛି ପରା ଭାଜନ୍ତି ଯୋଗୀଜନ !

ଦୁଇଟି ଯାତ୍ରୀ ଏଡ଼ାଇ ଝଞ୍ଜା ପଡ଼ିଲେ ଭୂତଳେ ଶୋଇ

ଝଡ଼ ଚାଲିଗଲା ଗଉର ତନୁରେ ମାଟି ଗୋଡ଼ି ବାରି ନୋହି,

ଅଶନି ବାଜିଲା କାନେ,

ଚମକି ଉଠିଲା ଧରା ଅମ୍ଵର ବିପ୍ଳବ ଅଭିଯାନେ ।

ରବି ନ ବୁଡ଼ୁଣୁ ବାରୁଣୀ ଶିଖରେ, ନ ଆସୁ ଅନ୍ଧକାର

ମେଘ ଚାଲିଗଲା ମେଘର ବାଟରେ, ପବନ ହୋଇଲା ଥିର,

ଦନଗିରି ଜନପଦ

ମନେ ହେଲା ଅବା ପାଲଟିଯାଇଚି ଶାନ୍ତିର ଆସ୍ପଦ !

ଉଠି ତଳୁ, ଶିଳା ପରେ ହୋଇ ଉଭା ସନ୍ୟାସୀ ଯୋଗୀବର

କୁଞ୍ଚିତ କରି ଭୂରୁ, ଗୁରୁବାଣୀ ଭାଷିଲେ-ବତ୍ସ ମୋର,

ଏ ଜାତି ଯାତ୍ରାପଥେ

କେତେ ଘନଘଟା କେତେ ଶଙ୍କଟ ଦେଖାଦେବ ଏଇ ମତେ ।

ତିଳ ତିଳ କରି ଜୀବନ ଥରିବ, ଝରିବ ଅଶ୍ରୁରାଶି,

ଅକାଳେ, ଅଦିନେ, ଯାତ୍ରା ଲଗନେ ବଜ୍ର ପଡ଼ିବ ଆସି

ଭ୍ରୂକୁଟି ଦେଖାଇ କାଳ

ଜାଗରିତ କେତେ ଯାତ୍ରୀ ପଥରେ ଜାଳିବ ପ୍ରଳୟାନଳ !

କେତେ ଯେ ଆସିବେ, ଅବାଟେ ପଶିବେ ଶିଖି ମନାଇର ଦଳ,

ସେ ଗୁରୁ ଧକ୍କା ସହିବାକୁ ଖାଲି ଲୋଡ଼ାଟି ଆତ୍ମବଳ,

ଜାତିର ପତାକା ଧରି

ଲୁଟି କରି ନେବେ ଏ ଜାତି ଧର୍ମ, ଦିବସେ କରିବେ ଚୋରି ।

ମହା ମିଥ୍ୟାର ଜାଲ ଛନ୍ଦିବେ ମହୀରାବଣର ବେଶେ,

ସିଂହ ବେଶରେ ଶୃଗାଳବାହିନୀ ବୁଲିବେ ସିଂହ ଦେଶେ

ଦେଖେ ମୁଁ ଏ କାଳ ତୀରେ

ଜନଗଣ ମନ ଜାଗିବରେ ଦିନେ ନିବିଡ଼ ଅନ୍ଧକାରେ ।

ଏଭଳି ଆସିବ ଗୁରୁ ପରୀକ୍ଷା, ଏ ଭଳି ହସିବ ରବି,

ଦୂର କାଳ-କୋଳେ ଦେଖୁଚି ଏବେ ମୁଁ ସିଂହଭୂମିର ଛବି,

ଶିଖି ମନାଇର ଦଳ

ଉଠିବେ, ଲୁଚିବେ, ଉଜ୍ଜ୍ଵଳ ହେବ ମୋ ଜନନୀ ଉତ୍କଳ !

 

୧୯୩୭

 

[ସିଂହଭୂମିର ପାହାଡ଼ିଆ ଅଞ୍ଚଳରେ ବେଳେ ବେଳେ ଅଦିନ ବର୍ଷା ହୁଏ । ବଜ୍ର ମାରେ, ଝଡ଼ ତୋଫାନ ଦେଖାଯାଏ । ସିଂହଭୂମିରେ କାମ କରୁଥିବା ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ପଣ୍ତିତ ଗୋଦାବରୀଶ ଏହିପରି ଏକ ଝଡ଼ ତୋଫାନ ବେଳେ ଉଚ୍ଚ ହୁଡ଼ା ତଳେ ଶୋଇରହି ବିପଦରୁ ରକ୍ଷା ପାଇଥିଲେ ।]

Image

 

ମୁକ୍ତିଯାତ୍ରୀ ଗୋପବନ୍ଧୁ

 

ଚାଲିଛ କି ଆଜି ଯାତ୍ରୀ ହେ ତବ ଆଗେ ଆଗେ ଚାଲେ ମରଣ

ସୁଦୂର ସେ କେଉଁ ବ୍ରଜ ନିଙ୍କୁଜୁ ଆସିଛ ମୁକ୍ତି ବରଣ ।

ଜୀବନ-ଯମୁନା ତଟେ ଥରି ଥରି ବଂଶୀ ବାଜୁଛି ବିଧୂରେ

ଶଂକିତ ବୁକେ ଅଙ୍କିତ କରି ଗାଅ କି ମନ୍ତ୍ର ମଧୁରେ

ଥରି ଉଠେ ଜଡ଼ ପରାଣ

ଆଗେ ଚାଲ ବୀର ମୁକ୍ତି ସାଧକ ଏ କି ପଥେ ପଥେ ମରଣ !

 

ଦୁର୍ବାସା ଆଜି ବୈଶାଖ ବେଶେ ପିଙ୍ଗଳ ଜଟା ବରଷେ

ଶଂକର ତାର ମଡ଼ା ଦେଶ ବୁକେ ଢଳି ଢଳି ନାଚେ ହରଷେ ।

କ୍ଳାନ୍ତ ଚପଳା ହସି ହସି ଯାଏ ରୁଦ୍ର ଅଧରେ କହି କି,

ଅଚପଳ କ୍ଷୀଣ ଶିଥିଳ ଜୀବନ-ଯନ୍ତ୍ରେ ଏ ନାଡ଼ୀ ନାହିଁକି ।

ଏ କି ହେ ଯାତ୍ରା ଲଗନ ?

ତୁମେ ହସୁଥାଅ ବଜ୍ର-ପୁଲକେ, ଦେଶ କି ଭ୍ରାନ୍ତି-ମଗନ ?

 

ସ୍ପନ୍ଦନହୀନ ଦେଶେ ଆଜି ବୀର ! ଏ କି ହେ ମନ୍ତ୍ର ପଢ଼ିଲ,

କିବା ଆଶାବାଣୀ ଘେନି ସନ୍ନ୍ୟାସୀ ମରଦେଶେ ଅବତରିଲ

ଢାଳିଦେଲ କିବା ବିଦ୍ୟୁତ ଚିତା ମୁକ୍ତ କରିଲ ବନ୍ଧ ହେ,

ଦେଶେ ଦେଶେ ଶୁଭେ ଦୀପ୍ତ ପୁଲକେ ତବ ଅନ୍ତର ଛନ୍ଦ ହେ ।

 

ଚାଲ ଚାଲ ଆଜି ଚାଲିଛ ତ ବୀର, ଭିକାରି, ହେ ଦୀନତାରଣ

ପୁଣ୍ୟ ତୁମରି ପଦ ରେଣୁ ଲାଗି ଧନ୍ୟ ହେବ ଏ ମରଣ ।

ହଲାଅ ଚଳାଅ ସୁପ୍ତ ଅବନୀ, ଚାଲ ଚାଲ ବୀର ଚାଲ ହେ

ଯାଜ୍ଞିକ ତୁମେ, ଯୁଗେ ଯୁଗେ ତବ ଯାତ୍ରୀଟି ମହା ପ୍ରଳୟେ ।

ତବ ସେ କୁଟୀର ଦୁଆରେ

ଭେଦି ମରଲୋକ ସଙ୍ଗୀତ ଉଠେ ମରଣ ମୁକ୍ତ ଜୁଆରେ ।

 

ଯୁଗ ଯୁଗ ଧରି ବ୍ୟର୍ଥ ବାସନା ଝରିପଡ଼ିଲା ଯେ ନୀରବେ

ପାଦେ ପାଦେ ଦଳି ଭୀମ କଣ୍ଟକେ କରୁଛ ମଧୁର ଗରବେ

କରେ ତବ ଏହି ବିଜୟ ନିଶାଣ ଉଠୁଛି ହେ ବୀର ଥରୁଛି

ଯାତ୍ରା ତମରି ପୁଣ୍ୟ ଲଗନେ ଲକ୍ଷ ଜୀବନ ବରୁଛି ।

 

ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ ସ୍ଵର୍ଗତ୍ ଉତ୍କଳମଣି ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କଲାବେଳେ ଉତ୍କଳମଣିଙ୍କୁ ଲକ୍ଷ୍ୟକରି ଏ କବିତା ଲେଖାଯାଇଥିଲା । କବି ସେତେବେଳେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ।

Image

 

ଖଣ୍ତଗିରି ତଳେ

 

ଗୁଳ୍ମ-ଜଟିଳ, ଗୁମ୍ଫା-ମୁଖର, ସ୍ଥବିର ଖଣ୍ତଗିରି

ଶତ ଶତାବ୍ଦୀ ଯାତ୍ରା ପଛରେ କିଏ ଏ ବକ୍ଷ ଚିରି

ଲେଖିଲା ସତ୍ୟ ପରମ ନିତ୍ୟ ଶ୍ରମଣ ବୁଦ୍ଧବାଣୀ

ତାର ସନ୍ତାନ ତାର ଏ ଦାୟାଦ କିଏ, ତୁମେ ଥିବ ଜାଣି ।

 

ତୁମେ ଜାଣିଥିବ ସେ ଦିନ ଜାଗିଲା ତୋଷାଳୀ କଟକ ତଳେ

ଖାରବେଳ-ରଣ-କୌଶଳ-କଳା ନିର୍ମମ କରବାଳେ,

ଦିଗ୍‍ବିଜୟର ଧବଳ କେତନ ତୁମରି ଶିଖରୁ ବଳି

ଘନ ନିର୍ମଳ ଗଗନେ ଭେଦିଲା ସତେ ବା ଅଂଶୁମାଳି !

 

ଆଜି ହେ ମୌନ, ସେ ଦିନ ମୁଖର ଥିଲା ତବ ବନ ତଳ

ସେ ଦିନ ଜାଗିଲା ତୁମ ପଦ ତଳେ ନଗରୀର କୋଳାହଳ,

ସ୍ତମ୍ଭିତ ଧରା, ମୁଗ୍ଧ ମାନବ ମହୀପାଳ ଜୟ ଗାନେ

ବୁଦ୍ ବୁଦ୍‍ ସମ କାହିଁ ସେ ଭଜିଲେ ବିଲୟ ସବୁଜ ବନେ !

 

ସେହି ସମାଧିର ମଲା ମାଟି ପରେ ଏଇ ନିଷ୍ଠୁର ଶିଳା

ତୁମେ ଜାଣିଥିବ ଶିଳ୍ପୀ ପରଶେ କି ଜୀବନ ଦେଇଥିଲା !

 

 

କେଶରୀ କୁଳର ମହା ସମାଧିରେ ମନ୍ଦିର କହେ ଡାକି-

ସେ ଗୌରବର ଶମଶାନ ପଥେ ଆଉ କିଛି ନାହିଁ ବାକି !

 

ଏତେଦିନ ପରେ ଆଜି ତ ଉପରେ—ତୁମ ପଦ ତଳେ ବସି

ସାଲ ମସିହାର ଇତିହାସ ଭୁଲି କେତୋଟି ଛଦ୍ମବେଶୀ

କାଳି କଲମରେ ପ୍ରସ୍ତାବ କଲେ, ଦେଖିଲ ଖଣ୍ତଗିରି !

‘ପନ୍ଥ’, ‘ଦେବର’ ରଖିପାରିବେ କି ? ଯିବ ନି କାଗଜଚିରି !

 

ଯେ ଅପୋଗଣ୍ତ, ଅଜାତଶ୍ମଶ୍ରୁ, ଏ ଜାତିର ଅପଦାର୍ଥ

ବନ୍ୟା ମରୁଡ଼ି ଭିତରେ ରଚିଲେ କେବଳ ବିପୁଳ ଅର୍ଥ,

ବିକି ଆପଣାକୁ ବିଜୟ ଲଭିଲେ ପକାଇ ଦେଶକୁ ବନ୍ଧା

କହ କେତେଦିନେ ବୁଝିବ ଏ ଜାତି ବିରାଟ ଗୋଲକଧନ୍ଦା ?

 

ଜୁଲାଇ-୧୯୫୬

Image

 

ଛାତ୍ର ଜାତି

 

ଡାକେ ମହାକାଳ ଘନ ଅନ୍ଧାର ପିଚ୍ଛିଳ ପଥ ସାଥୀ

ଆହେ ଦୁର୍ବାର, ଆହେ ଦୁର୍ମଦ, ସାବାସ୍ ଛାତ୍ରଜାତି !

କେତେ ଶୃଙ୍ଖଳ କରିଚ ଛିନ୍ନ, ବନ୍ଦିତ ଯୁଗ-ପ୍ରାଣ

ପଙ୍ଗୁ ବଧିର ମୂକ ମାନବର କର ଆଜି ଜୟଗାନ !!

ଏ ଯେ ଶତାବ୍ଦୀ—ମରଣ ପଥରେ ଦୀପ୍ତ ଆଲୋକଧାରୀ

ଗଗନ ଧ୍ଵାନ୍ତ, ଧରଣୀ ଭ୍ରାନ୍ତ, ଦୁର୍ଗମ ପଥଚାରୀ,

ଯେତେ ଅନ୍ୟାୟ, ଯେତେ ଅବିଚାର, ଯେତେ ଦୁର୍ନୀତି ଲୀଳା

ରୋଧିବାକୁ ଯାଇ କରିଚ ବରଣ ଲାଠି, ବନ୍ଧୁକ, ଗୋଳା !!

ଯୁଗ ନନ୍ଦନ, ଅପରାଜେୟ ହେ ଏକ ଅଖଣ୍ତ ଜାତି

ଏ ମଡ଼ା ଜାତିର ଗତି ମୁକତିର ଆଶା ବିଶ୍ଵାସ ସାଥୀ,

ମୁକ୍ତି-ବିଭୋଳ-ଝର ରଙ୍ଗୀଳ-ରସ-ଉଚ୍ଛଳ-ମନ

ମରଣ ପଥରେ ଅଭିନନ୍ଦନ ଘେନ ହେ ଛାତ୍ରଗଣ !!

ଶହୀଦ୍-ସୁନୀଲ୍ ବେଙ୍ଗପାଣିଆ ଜୀବନ-ଯଜ୍ଞ ତଳେ

ଆଜି ଏ ଜାତିରେ ଅୟୁତ ଛାତିରେ ନବ ହୁତାଶନ ଜଳେ

ଆହେ ପ୍ରଶାନ୍ତ, ଉଦାର, କାନ୍ତ, ଗମ୍ଭୀର ମହାବାହୁ

ତୁମ ଯିବା ପଥେ ଚରଣ ଚିହ୍ନ ଏ ଜାତି ବୁକୁରେ ଥାଉ ।

Image

 

 

 

 

 

 

 

 

 

 

 

 

 

ଶ୍ମଶାନ ତୀର୍ଥରେ

 

ଶ୍ରାଦ୍ଧ ମୋର-ଜୀବନ ଦାନ

 

ନବ ଓଡ଼ିଶାର ଯାତ୍ରାପଥେ ଯାତ୍ରୀ ଚାଲେ ରିକ୍ତ କରେ

ଝଞ୍ଜା ଉଠେ, କୁଳିଶ ଫୁଟେ ତରୁଣ ମନ-ମଣ୍ତପରେ

ଜୀବନ ପଥେ, ରକ୍ତ ରଥେ

କେତନ ଉଡ଼େ ଝଞ୍ଜା ବାତେ,

ଅଟ୍ଟହାସେ ଗଗନ ଫାଟେ, ଦୁର୍ଦ୍ଦିନେ ଏ ବକ୍ଷ ଥରେ

ବହ୍ନି ଜଳେ ! ବହ୍ନି ଜଳେ !! ବହ୍ନି ଜଳେ !!! ଚରଣ ତଳେ ।

 

ଯାତ୍ରୀ, ଆ’ରେ, ନୟନ ଜଳେ ଆଜି ଏ କା’ର ଶ୍ରାଦ୍ଧ ଦିନ ?

ପାଷଣ ତଳେ ରକ୍ତ ଢାଳେ ଉଛୁଳିଉଠେ; ବଦ୍ଧ-ମନ,

ଆଜି ଏ ହୃଦ-ସିଂହାସନେ

କା’ ଅଭିଷେକ ମୃତ୍ୟୁ-ଗାନେ

ସୌମ୍ୟ ଚିର-ଶାନ୍ତ କା’ର ଗଉର ତନୁ ଉଠଇ ଝଳି

ତରୁଣ ଚାଲେ ମରଣ ପଥେ, ତରୁଣୀ ଦିଏ କି ହୁଳହୁଳି !

 

ସମ୍ଵର ଏ ସମର ଗୀତି, ସୈନିକ ହେ ନ ଯାଅ ଚାଲି,

ଏଇ ଯେ ଦୂରେ ସ୍ଵର୍ଗପୁରେ ଶୁଭଇ କା’ର ବିଜୟ-ତାଳି

ଚରଣ ତଳେ ଏଇ ଯେ ଧୂଳି,

ଅଙ୍ଗେ ଦିନେ ହୋଇ କେ ବୋଳି,

ଏଇ ଧରଣୀ ସରଣୀ ପାଶେ ବରଣ କଲା ଭିକ୍ଷା-ଥାଳ,

ମନେ କି ପଡ଼େ ଆଜି ସେ କଥା, ହୃଦୟ ବ୍ୟଥା ଗଭୀର ତା’ର ।

 

ବଉଳ ବନେ ସାକ୍ଷୀ ନାଥ ସାକ୍ଷୀ ଦେବ ଭୁବନେ ଆଜି-

ତମାଳ-ତାଳ-ଶ୍ୟାମଳ କୋଳେ ମନ୍ଦିର ସେ ପଡ଼ିଲା ଭାଜି,

ରକ୍ତ ତାର ପଡ଼ିଛି ଝରି

ଶ୍ରାବଣ ଘନ ବର୍ଷା ସରି

ତରୁଣ ମନ କୁଞ୍ଜବନେ, ଯେ ରଣ ରୋଳେ ବିଶ୍ଵ ଥରେ

ତହିଁ ସେ ଗଲା ରିକ୍ତ କରେ, ବଜ୍ର ଶିରେ ଏହି ପଥରେ ।

 

ଲୁପ୍ତ ଶିର ବାରବାଟୀର କ୍ଷିପ୍ତ ଶିଳା ତଳପେ ବସି

ଚନ୍ଦନ ସେ କରିଲା ତାର ପଙ୍କ ଯେତେ ଅଙ୍ଗେ ଘଷି

ସେ ଶମଶାନେ ଅଶ୍ରୁ ଢାଳି

କେତେ ଯେ ହାଡ଼ ଧଇଲା ତୋଳି

କହିଲା, ଦେବି ଜୀବନ, ପବି ଗଢ଼ିବି ବସି ଗୋଟିକି ଗୋଟି

ତରୁଣ ପୁରେ ସାଜିବି ମୁଁ ରେ, ନଚାଇ ଦେବି ଏ ଭୂଇଁ ମାଟି ।

 

ନଚାଇଦେଲା ଭସାଇନେଲା ସତେରେ ଭାଇ ସେ ସେନାପତି

ସାଗର ଗିରି, କାନନ, ବିଲ ଗାଇଲେ ତାର ବିଜୟ ଗୀତି

ଦାଣ୍ତେ ବୁଲି ଦୁଃଖୀ ପ୍ରାଣ

ଭଜିଲା ତାର ମଧୁର ନାମ

ଥରାଇ ଦେଲା ସିଂହାସନ ଧରାଇ ବୀର କରେ କୁଳିଶ,

ସଂଚରିଲା ତରୁଣ-ବନେ ବିଦ୍ରୋହର ଅଗ୍ନି-ବିଷ ।

 

ଯାତ୍ରୀ ! ଆଜି ଦେଖ ତ ଦେଖି ରକ୍ତ-ପୋଥି ଫିଟାଇ ବୁକେ

ଶ୍ରବଣ ତବ ବାଙ୍କେ ଢାଳି ଶୁଣ ବା ଗୀତି ସମୀର

ଧମନୀ ତବ ଦେଖ ହେ ଚିପି

ଥରଇ ତହିଁ କା ମୂକ-ଲିପି

ସେହି ସେ ଭାଇ ବୃନ୍ଦାବନେ କୃଷ୍ଣବେଶେ ବଜାଇଗଲା,

ମରଣ ପଥେ ବରଣ-ବେଣୁ-ନଚାଇ ଦେଲା, ଭସାଇ ନେଲା ।

 

ଯାତ୍ରୀ ! ଆଜି ବଂଶୀ ଡାକେ, ବୃନ୍ଦାବନେ ଚାଲରେ ଯିବା,

ରକ୍ତ ମୁଖେ ମଶାଣି ଧୂଳି ଚୁମ୍ଵି ତାର ରଜନୀ ଦିବା,

ଦୀକ୍ଷା ତହିଁ ଘେନିବା ବସି,

ଚକିତ ହେବେ ବିଶ୍ଵବାସୀ

ଶ୍ରାଦ୍ଧେ ତାର ଶ୍ରଦ୍ଧା ନାହିଁ, ରୁଦ୍ଧ ବୁକେ ମାରିବା ବାଣ,

ବଂଶୀ ତାର କହୁଚି, ଶୁଣ-“ଶ୍ରାଦ୍ଧ ମୋର-ଜୀବନ ଦାନ ।”

Image

 

ପୁଣ୍ୟ ଗୋଦାବରୀ

 

ତୁମେ ତ ଜାଣିଲ ନାହିଁ କିଏ ଦେଲା ଗଳେ ଫୁଲମାଳା,

ତୁମେ ତ ଦେଖିଲ ନାହିଁ କିଏ ତୁମ ପଛେ ପଛେ ଗଲା,

ଚରଣ ପରଶି କିଏ ମଥା ନୋଇଁ ଦେଲା ଅଶ୍ରୁ ଢାଳି

କେ କରିଲା ସଂକୀର୍ତ୍ତନ ତୁମ ନାମେ ଦେଇ କରତାଳି ।

 

ତୁମେ ତ ଚାହିଁଲ ନାହିଁ ଆଖି ମେଲି କିଏ ହେଲେ ଉଭା

ତୁମ ଶୁଭ୍ର ତନୁ ପାଖେ କରଯୋଡ଼ି ବାଳ ବୃଦ୍ଧ ଯୁବା,

ତୁମେ ତ ହସିଲ ନାହିଁ, ତୁମ ଯିବା ପଥ ଧାରେ ଧାରେ

କାତରେ ଡାକିଲା ଜାତି ନିରାଶାର ଘୋର ଅନ୍ଧକାରେ !

 

ତୁମେ ଗଲାବେଳେ ଦେବ ! ପ୍ରଭଞ୍ଜନ ହେଲା କି ପାଗଳ

ଆକାଶେ ଘୋଟିଲା ମେଘ, ବରଷିଲା ଜଳ ଅନର୍ଗଳ ।

ଶୁଭିଲା ଚୌଦିଗେ ଡାକ, ଚକ୍ରପାଣି ! ରଖ ଏ ଜାତିରେ

ଜାତିର ଏ ଇତିହାସ, ହୃତ୍‍ପିଣ୍ତ ଏ ଜାତିର ଛାତିରେ !

 

ତୁମେ ମାନିଥିଲ ସାକ୍ଷୀ ସେ ଦିନ ସେ ସାକ୍ଷୀ ଗୋପୀନାଥେ

ତୁମେ ଆଜି ସାକ୍ଷୀ ହେଲ ଏ ଜାତିର ଅଗ୍ରଗତି ପଥେ !

 

 

ତୁମକୁ ଡାକନ୍ତି ଆଜି ଏ ଧରଣୀ ବିଲ ବନ ଗିରି

ଦରିଦ୍ର ଏ ଓଡ଼ିଶାର ଆହେ ତୀର୍ଥ ପୁଣ୍ୟ ଗୋଦାବରୀ !

 

ଜୁଲାଇ-୧୯୫୬

Image

 

ତର୍ପଣ

 

ବୃନ୍ଦାବନେ ବଂଶୀ ଆଜି ପୁଣି କି ବାଜେ ଥରେ

ଷୋଳ ବରଷେ ଏ ମଡ଼ା-ଦେଶେ ତର୍ପଣ କେ’ କରେ ?

ଶୁଷ୍କ କୁଶ, ପାତ୍ରୀ ଧର,

ରୁଧିର ଅବା ଲୋତକ ଢାଳ,

ସରିତ, ସର, ଝରଣା ଜଳ ଯାଇଚି ସବୁ ଶୁଖି

ଷୋଳ ବରଷେ ଆଜି ଏ ଦେଶେ ବଂଶୀ ଯାଏ ଡାକି !

 

କୁଞ୍ଜବନେ ମନ୍ଦିରେ କେ’ ପାଷାଣ ଥିଲା ହୋଇ,

ତା ପାଖେ ବସି ଡାକିଲା ଆନ ଦେବତା ନର-ଦେହୀ ।

ପାଷାଣ ଦିଅଁ ରହିଲା ଦୂରେ

ଏ ଡାକ ବାଜେ ପରାଣ ପୁରେ,

ମରଣ ଯହିଁ ରଚଇ ରାସ—ସେଇ ମଶାଣି ତଟେ

ଷୋଳ ବରଷେ ଆଜି ଏ ଦେଶେ ଆହ୍ୱାନ ତା’ ଉଠେ ।

 

ଯେ ଭୂଇଁ ତଳେ ମଣିଷ ମରେ ନ ପାଇ ମୁଠେ ଦାନ ।

ଲକ୍ଷ ତନୁ ମୁକୁଳା ରହେ ନ ପାଇ ଚକେ କନା,

ସେଠିତ ‘ରାଜନୀତିର’ ଜୟ !-

ଘୃଣ୍ୟ ପୂତିଗନ୍ଧମୟ !!

ଶରଣ ଯାଚେ, ମୁକ୍ତି ସୂଚେ, ଷୋଳ ବରଷେ ଆଜି,

କାହାର ବାଣୀ କହଇ-‘ଉଠ ନିଷ୍ପେଷିତ ରାଜି ।’

 

କଂକାଳରେ ! କହ ତୁ କଥା ମଶାଣି ତଟୁ ଉଠି

ତର୍ପଣର ଆସିଚି ବେଳ ବର୍ଷ ଶେଷେ ଏଠି

ଅଶ୍ରୁନାହିଁ, ରକ୍ତ ନାହିଁ

ତର୍ପଣ ତୁ କରିବା ପାଇଁ,

ଥରେ ତୁ ଭାଇ ଦେଏରେ ଚାହିଁ ତୋହରି ଚିତ୍ତଲୋଭା

ଶାନ୍ତ ପୂତ ଗୌର ତନୁ ତୋ ବୁକେ ରଚେ ସଭା ।

 

ଜୁନ୍-୧୯୪୪

ଉତ୍କଳମଣିଙ୍କ ଷୋଡ଼ଶ ଶ୍ରାଦ୍ଧବାସରେ

Image

 

ମରଣଯାତ୍ରା

 

ମରଣ ବଧୂର ପ୍ରଣୟୀ ଜନ ଆସ

ଜଳଦ ରଚେ ବିଜୟ ମହୋଲ୍ଲାସ,

ବିଜୁଳି ଆଜି ଚମକେ ଘନ ଘନ,

ପାଗଳ ଆଜି ପ୍ରଳୟ ପ୍ରଭଞ୍ଜନ,

ଗହନ ଆଜି ସହନ ସୀମା ପାରେ

ବକ୍ଷ ଚିରି ଡାକଇ ନଦୀ ଧାରେ ।

ଡାକଇ ଗୋପବନ୍ଧୁ, ଆସ ଆସ

ଲାଗିବ ଆଜି ମରଣ କୁଞ୍ଜେ ରାସ,

ଡଙ୍ଗା ବାହି ଭଙ୍ଗା ବୁକୁ ପରେ

ସୌଧ କିଏ ତୋଳିବ ଆଜି ମାତୃ ଗୌରବରେ !!

 

ମରଣ ବାଳା-ସ୍ଵୟଂବରେ ଆସ,

ଅଙ୍ଗେ ଶୋହୁ ଜୀର୍ଣ୍ଣ ଦୀନ ବାସ,

ଶୀର୍ଣ୍ଣ ଆଜି ଏ ମହାନଦୀ ବୁକୁ

ଲକ୍ଷ ମହାପ୍ରାଣ ଏ ଦୁକୁ ଦୁକୁ,

ଚୁମ୍ଵେ ଆଜି ଅଗ୍ନି ଧରା ପରେ

ଶୈଳ ଶିଖୁ ଅଗ୍ନିସ୍ରୋତ ଝରେ,

ଡାକଇ ଗୋପବନ୍ଧୁ ଆସ ଆସ

ବହଇ ଆଜି ମରଣ-ବିଷଶ୍ଵାସ ।

ଭିକ୍ଷା ମାଗି ଉଦ୍ଧରିବ ବୁଲି

ବଧୀର ଶତ ସୋଦର ସମ ଆପଣା ବୁକେ ଧରି !!

 

ମରଣ-ପଥ-ଯାତ୍ରୀ କିଏ ଆସ

ରାତ୍ରି ଆଜି, ପଥ ଏ ନାହିଁ ଲେଶ,

ସାହା କେ ନାହିଁ, ସାଥି କେ ନାହିଁ ଜଣେ,

ମୃତ୍ୟୁମୟ ଏ ଉତ୍କଳ ବନେ !

ଅନ୍ଧକାରେ ପ୍ରଦୀପ ନାହିଁ ଜଳେ,

ଚରଣ ଭେଟେ ମଡ଼ା ଏ ଥରେ ଥରେ,

ଡାକଇ ଗୋପବନ୍ଧୁ—ଆସ ଆସ

ହେଲେରେ ହେବ ମରଣ ପଥେ ବାସ

ଆସରେ ଆସ, ତହିଁ କି ଭୟ ଅବା

ମରଣେ ଆଜି କରିବ ପରା ମାତୃପଦ ସେବା !

 

ଜୁନ୍-୧୯୩୬

Image

 

ଦି’ପଦ

 

ଆଜି ପୁଣି ଥରେ ଶ୍ରାଦ୍ଧ ବାସରେ, କୋଟି କର ଯୋଡ଼ୁ ବନ୍ଧୁ ହେ ।

ବୃନ୍ଦାବନର ହେ ମହାମାନବ, ମହାମତି ଗୋପବନ୍ଧୁ ହେ !

ସତ୍ୟକାମ ତ ତୁମେ ଏ ଜାତିର

ଶୁଭେ ଆଜି ବାଣୀ ତୁମରି ଛାତିର,

ଦୁଃଖ ତାପିତ ଲୋଚନୁ ତୁମରି ଝରିଥିଲା ଯେଉଁ ବିନ୍ଦୁଏ

କୋଟି ଜନ-ମନ-ଅନ୍ତର ତଳେ ପାଲୁଟୁଚି ସାତ ସିନ୍ଧୁ ହେ ।

 

ଅମର ପଥର ଯାତ୍ରୀ ତୁମେ ତ, କହେ ବରିଚ ମରଣରେ

କାଳ ଯାଏ ବହି ତୁମ ଗୀତି ଗାଇ, ଏ ମନ ତୁମରି ଚରଣରେ,

ମରଣ ପାରୁନି ଲୁଚାଇ ଯାହାରେ

ମୃତ୍ୟୁବିଜୟୀ ତୁମେ କାଳେ କାଳେ,

ଏ ମଡ଼ା ଜାତିର ଜୀବନ-ତନ୍ତ୍ରୀ ଚେଇଁଉଠେ ଯାର ସ୍ମରଣରେ

ମରଣ ଏ ନୁହେ, ଧନ୍ୟ ହୋଇଛି ମରଣ ତୁମରି ଶରଣରେ ।

 

ଜୁନ୍-୧୯୪୬

Image

 

ତା ଚିରାକନା ବକ୍ଷେ ମାଳ

 

ଯୁଗଳ ଲୋଚନୁ ଲୋତକ ଧାର

ଝରି ରଚୁଥିଲା ବୁକୁରେ ଗାର,

ନିଖିଳ ଦେଶର ବେଦନା ଭାର

ବହି ସେ ବୀର ମନେ

କହିଲେ ଦିନେ ଗଭୀର ତାନେ-

“ସଙ୍ଗୀ କିଏ ଆସିବ କ୍ଷଣେ

“ଭାଇ ମୋ ମରେ ପଲ୍ଲି-ଗ୍ରାମେ

“ଶୁଣ ସେ ଡାକ ତେଣେ ।

 

“ନାହିଁ ରେ ତା ଘର ଚାଳରେ ଛଣ,

“ତୋରାଣୀ ତୁଲକୁ ନ ମିଳେ ଲୁଣ,

“ମଶାଣି ଭୂଇଁରେ ପରାଣ ଧନ

“ଜଳଇ ଚିତା ତଳେ

“ସେ ମଡ଼ା ଅଧରେ ବଚନ ଥରେ

“ଝରାଇଦେବାକୁ ବାସନା ଧରେ

“ଆସ, ନ ଆସ, ଆଜି ଏ ପୁରେ

ମୁଁହି କି ରହିପାରେ ?”

 

ସୁଦୂର ‘ଡଭାର’ ପଲ୍ଲି ପଥେ

କାହିଁ କେ ଏକଇ ସଙ୍ଗୀ ସାଥେ

ଦେବତା ଆସିଲେ ଚରଣ ରଥେ

ସେ ଯେ ଉତ୍କଳମଣି !

ପଡ଼ିଛି ବଦନେ ଗଭୀର ଛାୟା

ମଳିନ ବିକଳ ଗଉର-କାୟା,

ନାହିଁ ସେ ମରମେ ପରାଣ ମାୟା,

ଅଶ୍ରୁ କହେ ବାଣୀ !

 

କୁଟୀରେ ଉଠିଲା ମଶାଣି ଲୀଳା

ସରଣୀ ଉପରେ ଚାଲିଲା ଭେଳା,

କି ଥିଲା ଏ ଦେଶ, ଏ କି ବା ହେଲା !

ହାଡ଼ରେ ଗଢ଼ା ଧରା !

‘କାକଟପୁର’ ବିକଟ ଦେଶେ

ସନ୍ନ୍ୟାସୀ କେ କି ଧନ ଆଶେ,

ଆଉଁସି ଶବରେ ଚାଲିଲେ ଶେଷେ

ଉଦ୍ଧରିବେ ଭାରା !

 

ଦୁଆର ବିହୀନ କୁଟୀର ତଳେ

ଜନନୀ ସେ କାହିଁ ଧରିଛି କୋଳେ

ବାର ବରଷର ରତନ ସେ ରେ

ମରଣ ଶେଯେ ପଡ଼ି,

ମରଣ ବେଳର ଅଧର ଫେଇ

କହିଲା ତା ଧନ ଉପରେ ଚାହିଁ-

“କହିଥିଲୁ ମାଆ ଆସିବେ କେହି

“ଦେବେ ଲୋ ଚୁଡ଼ା ମୁଢ଼ି ।

 

“ନାହିଁ ମୁଁ ପାରିବି ଜୀଇ ଲୋ ମାଆ,

“ଆସିବେ ଯେବେ ସେ ଦେବତା, ଆହା,

“ତୋ ପେଟ ପୂରାଇ ଖାଇବୁ ଯାହା,

“ଯାଉଚି ଚାଲି ଆଜି,

“ମାଆ ଲୋ ମୁଁ ଥରେ ଦେଖିଲି ନାଇଁ

“ଆମକୁ ଯେ ଦିଅଁ ବୋଲଇ ଭାଇ

“ତାର ପଦତଳେ ଏ ଶିର ନୋଇଁ

ପଡ଼େ ମୁଁ ଆଜି ଭାଜି ।”

 

ଏ କାଳେ ଆସିଲେ କୁଟୀର ପାଶେ

ସନ୍ନ୍ୟାସୀ ସେହି ମଧୁର ଭାଷେ,

ଆଦରି ଧଇଲେ ବକ୍ଷ ଦେଶେ

ସେହି ସେ ଦରମରା !

ବୁଲାଇ ସ୍ଵ-କର କର ଚରଣେ

ନୟନ ଢାଳିଲେ ନୟନେ କ୍ଷଣେ

କହିଲେ ସେ, “ଧନ, ମୁହିଁରେ ଜଣେ

ତୁମରି ଭାଇ ପରା !

 

“ନାହିଁ ନାହିଁ, ବାବୁ, ନ ପଡ଼ ଶୋଇ

“ତିରିଶି କୋଶ ମୁଁ ଆସିଛି ଧାଇଁ,

“ତୁମରି ମୁଖରେ ଅନ୍ନ ପାଇଁ

“ବିଦ୍ରୋହୀ ମୁଁ ଜାଣି ।”

ନ ଶୁଣି ବାଳକ ରହିଲା ଥିର ।

ସ୍ତବ୍ଧ ହେଲା ସେ କୁଟୀର-ପୁର ।

ତାର ଚିରାକନା ବକ୍ଷେ ମାଳ

ରଚେ ଉତ୍କଳମଣି !

 

ଜୁଲାଇ-୧୯୩୭

 

ଛବିଶି ସାଲ ଦୁର୍ଭିକ୍ଷ ବେଳେ ସ୍ଵର୍ଗତ ଉତ୍କଳମଣି ଏ କବିତା-ବର୍ଣ୍ଣିତ ମରଣ ଚିତ୍ର ଦେଖିଥିଲେ ।

Image

 

ପୁଣ୍ୟ ସ୍ମୃତି

 

ପ୍ରିୟ ମାଟି ମୋର ସତ୍ୟବାଦୀର

ବାର ବରଷରେ ଆଜି ଏ ଦେଖା

ବାଲି ଧୂଳି ଜଳ ପଲ୍ଲବ ଫୁଲ

ନ ମଣ ଏ ଜନେ ପଥିକ ଏକା ।

ଘେନ ବନ୍ଦନା ନବଲତାକୁଳ

ଘନ ତରୁତଳ-ବିଳାସବତୀ,

ଶ୍ୟାମ ତୃଣଦଳ ବିଜନ ପଥର

ପଥିକ-ଚରଣେ ପତା ଗୋ ଛାତି ।

 

ଦେଇ ଏ ପରଶ ବରଷ ବରଷ

ତଳେ, ତବ ତୁଲେ କଲା ଯେ ଲୀଳା

ସେ ନର-କିଶୋର ପରଶ ମଧୁର

ଭୁଲି କି ଯିବାର ହେଲାଣି ବେଳା ?

ତରୁଣ କବିର ଚରଣ ଚମକ

ଚକିତେ କି ଚିତ ଜଗାଏ ନାଇଁ,

ପ୍ରିୟ ମାଟି ମୋର ସତ୍ୟବାଦୀର

କଥା କି ଶୁଣିବୁ ମଉନ ଥାଇ ?

 

ନୀରବ ଥିବୁ କି ମାଟି ଅଭିନବ

ସତ୍ୟବାଦୀରେ ପଥିକ ମୁଁ ଯେ

ମୂକ ବନ-ତରୁ ମୁକୁଳ ମୁକୁଳି

ଆଜି ମୋର ଦେହେ ଜଗତ ସୃଜେ ।

ଏବେ ନୀରବିନି ସେ ଗାନ ନିନାଦ

ଏବେ ସେହି ତରୁ ରହିଚି ଉଭା

ସେହି ତରୁତଳ ପ୍ରିୟ ପରିଚିତ,

ଆଜି ସେଇ ମୁହିଁ ତରୁଣ ଯୁବା ।

 

କେତେ ନିଶୀଥିନୀ ଦିବସ ଯାପିନି

ଏହି ପଥଧାରେ ପଳାଳ ପୁରେ,

ଗତ ଦିବସର ଚିର ଉଜାଗର

ଜାଗର ଜଳୁଛି ମାନସ-ତୀରେ

ଶୁଭ ସୁକୋମଳ ତମାଳ ତଳପେ

କେତେ ବିରଚନ ହୋଇନି ଲେଖା,

ସାଥୀ ଗଲେ ଦୂର ସଂସାର-ପଥେ,

ବାର ବରଷରେ ଆଜି ଏ ଦେଖା !

 

ଶିବ ସୁନ୍ଦର ମାଟି ତୁମେ ମୋର

ସାକ୍ଷୀ ହେ ମୋର ଜୀବନମୟ,

ଗତ ଦିନମାନ କାନ୍ତ ଲପନ

ତୁମ ତନୁ ତଳେ ପାଇନି ଲୟ ।

ତୁମ ତନୁ-ତୀରେ ଶାନ୍ତ ସମୀରେ

ମାନବୀ ରାଧାର ବଚନ ଶୁଣେ,

ପଲାଳ କୁଟୀର ଭେଦି ଯେବେ ଧୂମ

ଦୂର ବ୍ୟୋମଚାରୀ ଜଳଦେ ଚୁମେ ।

 

ସେ କାଳ ମାନସୀ ଯାଇନି ମୁଁ ଭୁଲି

ମାଳା ରଚିଥିଲା ଏ ବନେ ଯେ’ ବା

କୋମଳ ତା କର-ଅଙ୍ଗୁଳି ଘାତେ

ହୃଦ-ବନେ ବେଣୁ ବାଜୁଚି ଅବା !

ଶୁଣେ ଗୁଞ୍ଜନ, ବୁଝେ ଏ କୂଜନ,

ଜାଣେ ସନ ସନ ସମୀର କଥା

ବାର ବରଷରେ ବାଣୀ କି ବଖାଣେ

ଅବତରି ମୋର ହୃଦୟଗତା ?

 

ହେ ମାଟି, ହେ ପ୍ରିୟ, ତୁମ ତନୁମୟ

କର ମୋରେ ବହି ବିଜନେ ବସି

ହେ ନବ ନବୀନ, ହେ ଧୂଳି ପାଷାଣ,

ନିତ୍ୟ ନୂତନ ଉଠ ହେ ହସି ।

କେବେ କାହିଁ କିବା ସତ୍ୟଯୁଗର

ମହା ଅମ୍ଵୁଧି ଫେନିଳ ତୀରେ

ଦେଖାଦେଲ ଯେବେ ମୃତ୍ତିକା ତୁମେ

ଭେଦି ଶାଶ୍ଵତ ଅକୂଳ ନୀରେ ।

 

କାହିଁ ଅନାବିଳ ପ୍ରାଚୀ-ରୂପସୀର

ତରୁଣ ଅରୁଣ କିରଣ ରେଖା,

ଚୁମ୍ଵିଲା ତବ କିଶୋର କପୋଳ

ସେ କାଳେ ତୁମରି ପାଇଲି ଦେଖା ।

ରେଣୁ ତୁଲେ ତବ ବୁକୁ ତଳେ ତଳେ

ଗୋପନେ ଥିଲି ମୁଁ ସପନ ସରି,

ନ ଥିଲା ଏ ଘନ ବନ ଲତାକୁଳ

ଗୀତି-ସମାକୁଳ-ଶିଖରୀଶିରୀ !

 

ମାଟି ! ତବ ତଳେ କୋଟି ଜନମରେ

କେତେ କି ସପନ ଯାଇଚି ଭାଜି,

କେତେ ବ୍ରଜବନ-ଲୀଳା ଅବଶେଷେ

ବୃନ୍ଦାବନେ ମୁଁ ଫେରିଛି ଆଜି ।

ଏ ମୂକ କିଶୋର କଥା ଯେ କହିଲା

ବ୍ୟଥା ଯେ ବାହିଲା ଧରଣୀ ତୀରେ

ଚୁମ୍ଵନ ଯେବେ ଘେନିଲା ତରୁଣ,

ପୋଛିଲା କାହାର ନୟନ ନୀରେ ?

 

କା’ର ବାହୁତଳ ନିବିଡ଼ ପୁଲକ

କା’ନବ ନୟନ ଆନତ ରେଖା

ଉପଶମି ବୁକୁ ଶତ କ୍ଷତ-ଟିକା

କେତେ ରୂପ-ଯାଦୁ ପାଇନି ଦେଖା !

ପୀବର ବକ୍ଷେ ମାଳା ବିଚରିଲା

କୋମଳ ଏ କର ଯେବଣ ଠାବେ,

ଏ ଶ୍ୟାମ ତମାଳ ବକୁଳ ମୁକୁଳ

ଭୁଲି କି ଯାଇଚି ଜୀବନେ ଲବେ ?

 

ଭୁଲିନି, ଭୁଲିନି, ସତ୍ୟବାଦୀ ହେ,

ପାଷାଣ ଦେଉଳ ପଛରେ ରହି

ଆନ ଯେ ଦେଉଳ ଉଠିଲା ମର୍ତ୍ତ୍ୟେ

ଆନ ସେ ଦେବତା ମାନବଦେହୀ ।

ସେ ଯେ ଗମ୍ଭୀର ଋଗବେଦ ରାଣୀ,

ସେ ଯେ ସୁନ୍ଦର ଶିବ ସ୍ଵରୂପ

ଘନ ପଲ୍ଲବ ବକୁଳ ଗହଳେ

ଜାଳିବ ଆବର ଜୀବନ-ଧୂପ !!

 

ସେ କାଳେ ଆସିବି ସତ୍ୟବାଦୀ ମୁଁ

ଏ ଜନମେ ଅବା ଜନମ ପାରେ,

ସେ କାଳେ ଫୁଟିବି ମୁକୁଳ ସମ ହେ

ବଞ୍ଚିତ ଏଇ ବକୁଳ-ମାଳେ ।

ସେ କାଳେ ନାଚିବ ଆବର ରଙ୍ଗେ

ଗିରି ଘନ ବନ ସାଗର ତଳ-

“ହେ ଗୋପବନ୍ଧୁ କରୁଣା ସିନ୍ଧୁ,

ଚରଣ-କମଳେ ନମସ୍କାର ।”

 

କବି ସତ୍ୟବାଦୀର ଛାତ୍ର ଥିଲେ । ସତ୍ୟବାଦୀ ଛାଡ଼ିବାର ବାରବର୍ଷ ପରେ ପୁଣି ସେଠାକୁ ଯାଇ ଗୋପବନ୍ଧୁଙ୍କ ସମାଧି ପୀଠରେ ଏ କବିତାଟି ଲେଖିଥିଲେ ।

Image

 

ସାବରମତୀର ମହାମାନବର ଚରଣ ତଳେ

 

ସାବରମତୀର ମହାମାନବର ଚରଣ ତଳେ

କୋଟି ଜନ ମନ ବନ୍ଦନା ଗାନ ପ୍ରବାହ ଚଳେ,

ଗଳେ ହିମାଚଳ, ଉଛୁଳେ ସାଗର, ବିନ୍ଧ୍ୟ ଲସେ

ନିବିଡ଼ ତିମିର ଭେଦିକି ତରୁଣ ତପନ ହସେ !

ଏଇ ସନାତନ ଦୃଶଦ୍‍ବତୀର ଶାନ୍ତ-ତଟେ

କେତେ ହୋମାନଳ ଜାଳିଲା ମାନବ ମୁକ୍ତି-ପଥେ !

ବନ ଗିରି ନଭ ଶୁଣିଲା ମାନବ-ମାଙ୍ଗଳିକ

ଏଇ ପଥେ ପଥେ ଘେନି ଗଲେ କେତେ ଜୟ-ତିଳକ ।

ଲାଗିଲା ସମର, ଜାଗିଲେ ଦ୍ଵାରକା ଦେବତା ଥରେ,

ମାଗିଲେ ଭିକ୍ଷା କପିଳବାସ୍ତୁ ତେଜି କେ ଦୂରେ ।

ପୂର୍ବ ସାଗର ତୀର ଚହଲାଇ କେଉଁ ନିମାଇଁ

ବିତରି ଚାଲିଲେ ପରମ କାମ୍ୟ ମାନବ ପାଇଁ ।

ସବୁରି ଭିତରେ ଗାନ୍ଧି ହେ ! ତୁମ ବରଣ ଆଜି

ଡାକଇ ଦଳିତ, ପର ପଦାନତ ମାନବରାଜି ।

ପାଲଟିଗଲା ସେ ଦୃଶଦ୍‍ବତୀ ଏ ସାବରମତୀ

ସବୁରି ମରମେ ଜଳଇ ତୁମର ଜୀବନ-ବତୀ ।

କୋଟି ଗରିବର ଅଶ୍ରୁ କରିଲ କଣ୍ଠମାଳା

ବକ୍ଷେ ବହିଲ ନିର୍ଯ୍ୟାତନର ଦହନ-ଜାଳା ।

ନିଷ୍ପେଷିତର ଆସନ କରିଲ କୁସୁମମୟ

ପୁଲକେ ବିତରି ସତ୍ୟ ଶାନ୍ତି-କି ବରାଭୟ !

ସାବରମତୀର ତଟ ତରୁତଳ କୁଟୀର ପାଶେ

ହେ ଦୀନବନ୍ଧୁ, ଚରଖାଚକ୍ର ଧରି ଏ ଦେଶେ

କଟି ତଟେ ଦୀନ କୌପୀନ ନିହି ହୋଇଲ ଉଭା,

ଧାଇଁଲେ ଆବାଳ-ବୃଦ୍ଧ-ବନିତା-ତରୁଣୀ-ଯୁବା ।

ପଥ ହେଲା ତବ କଣ୍ଟକମୟ, ଘୋଟିଲା ତମ

ବିଘ୍ନ ଆସିଲା ସମ୍ମୁଖେ ଭୀମ କୁଳିଶ ସମ ।

ସେ କାଳେ ହେ ଯୋଗୀ, କି ଅବା ମନ୍ତ୍ର ଗାଇଲ ବସି

ଚମକି ଚାହିଁଲେ ଏଇ ସୁବିପୁଳ ବିଶ୍ଵବାସୀ ।

ସୁମେରୁ କୁମେରୁ ପୂରି ଦୂବ ଦାରୁ ଶୁଣିଲେ ଡାକ

ପ୍ଳାବିଲା ତୁମରି ସତ୍ୟବଚନ ଧରଣୀଯାକ ।

ବନ୍ଧୁକ, ତୀର, ତରବାରୀ ମୁନ ହୋଇଲ ଜଡ଼

ତବ ଅଙ୍ଗୁଳି ନିର୍ଦ୍ଦେଶେ ଜାଗି ଭୀଷଣ ଝଡ଼ ।

ଯୁଗେ ଯୁଗେ ତବ ଅବତାର ଏଇ ଧରଣୀ ପଥେ

ଯୁଗେ ଯୁଗେ ତୁମେ ମରମେ ମାରିଚ ବଜ୍ରାଘାତେ ।

ଆଜି ଏ ଯୁଗର ଅର୍ଘ୍ୟ-ପ୍ରଦୀପ ମରମେ ଜଳେ

ସାବରମତୀର ମହାମାନବର ଚରଣ ତଳେ ।

 

ଅକ୍ଟୋବର-୧୯୪୮

Image

 

ଫୁଲଟିଏ ଗଲା ଖସି

 

ବକୁଳ ବନରୁ ଫୁଲ ଝଡ଼ିଯାଏ କେତେ ଗୋଟି ଗୋଟି ହୋଇ

ସ୍ମୃତିର ସବୁଜ ପତ୍ର ଯାଉଚି କାଳ-ଝଡ଼େ ଉଡ଼ି କାହିଁ,

ଏଇ ମନେପଡ଼େ କାଲି ଥିଲା ପରି

ସେଇ ତରୁ ତଳେ ଲୋକ ଦୁଇ ଚାରି

ଦିବସ, ରାତିରେ ଏ ମଡ଼ା ଜାତିରେ ଜୀବନ ଢାଳିବା ପାଇଁ,

ବକୁଳ ବନରୁ ଫୁଲ ଝଡ଼ିଯାଏ ଏଇ ଗୋଟି ଗୋଟି ହୋଇ ।

 

ଜନନୀ ଡାକିଲା, ଡାକିଲା ଜନକ, ଡାକିଲା ଅନାଥ ଶିଶୁ

ଖାଲି ଶୁଣାଗଲା-‘ଏ ଜାତି ଭାସିଲା’–କ୍ରନ୍ଦନ ଦଶଦିଶୁ ।

ଥିଲେ ଦୁଇ ଚାରି ସେଇ ଯେ ପୂଜାରୀ

ଶୁଭାଶିଷ ଧରି ମନ୍ଦିର ଗଢ଼ି

ଫଟାଇ କଣ୍ଠ ପୂଜାର ଘଣ୍ଟ ବଜାଇ କହିଲେ–‘ମିଶୁ

ଏଇ ବୁକୁହାଡ଼, ଦଧିଚୀ ଜାତିର ଦାନ ଗାଡ଼େଗାଡ଼େ ଦିଶୁ ।

 

ସେଇ ଯେ ପୂଜାରୀ ମନ୍ଦିର ଗଢ଼ି ପୂଜା କରୁଥିଲେ ବସି

ସେଇ ମନ୍ଦିର ବେଢ଼ାରେ ଯୁଟିଲେ କେତେ ଯେ ଭକ୍ତ ଆସି !

ଶିଖିଲେ ମନ୍ତ୍ର, ଧଇଲେ କେତନ

ଅର୍ପଣ କଲେ ତନୁ ମନ ଧନ,

ଏଇ ଚାଲିଗଲା ସେଥିରୁ ଗୋଟିଏ, ଶୁଣ ଉତ୍କଳବାସୀ

ବକୁଳ ବନର ସବୁଜ ଡାଳରୁ ଫୁଲଟିଏ ଗଲା ଖସି ।

 

ଡିସେମ୍ଵର-୧୯୫୭

(ପଣ୍ତିତ ଲିଙ୍ଗରାଜଙ୍କ ବିୟୋଗରେ)

Image

 

ଲେନିନ୍

 

ଏତେ ଦିନ ପରେ ବିଦ୍ରୋହୀ, ଯୋଗୀ ବିଜୟ ଯାତ୍ରା ହେଲା କି ଶେଷ

ବିଶ୍ଵପାବନ ସିଂହ ଦୁଆରେ ଅବସାନ ତବ ଭୀଷ୍ମ ବେଶ ?

ଆସୁଥିଲା ଯେଉଁ ବୁକୁ କୋଣୁ ତବ ଅଗ୍ନି ଝରଣା ନିରତେ ଝରି

ପଲକେ ପଲକେ ଜାଳୁଥିଲ ବସି ଶ୍ମଶାନ ଚିତା ଆଦର କରି;

ଯୋଗୀବର ! ସବୁ କଲ କି ଶାନ୍ତ ?

ନଚାଇ ନଚାଇ ବିଦ୍ରୋହୀ ମନ ଜୀବନଟି ତବ କର୍ମ-କ୍ଳାନ୍ତ ?

 

ରୁଧିର ସିକ୍ତ ପଦତଳେ ତବ ତରୁଣ ପରାଣ ଉଠିଲା ଥରି

ଶିଖାଇଲ ଅବା କି ମୋହନ ମନ୍ତ୍ର ମରଣ କୁଞ୍ଜେ ବରଣ କରି ?

କେଉଁ ମାୟାପୂରୀ ସ୍ଵପ୍ନ ଦୁଆରେ କିବା ନନ୍ଦନ ଗୋପନ ରଥେ

ସ୍ରଷ୍ଟା ହେ ତବ ନୂତନ ସୃଷ୍ଟି ଶଙ୍କା ଆଣିଲା ମାନବ ପଥେ ।

ମେରୁ ହିମ ତଳେ ତମରି ମଧୁର କମ୍ପିତ-କର ପରଶ ଲାଗି

ପଥେ ପଥେ ହସି ମୁକ୍ତି-ଭିକାରୀ, ମରଣ ଯାତ୍ରୀ ଉଠିଲେ ଜାଗି

ଅଭିସାର ତବ ଶାଶ୍ଵତ ଦେଶେ, ମୁକ୍ତ କରିଲ ଜଗତ-ବନ୍ଧ

ସମର ଗହଳେ ବାଜିଲା ପୁଲକେ ରକ୍ତ ଚମକେ ଗଭୀର ଛନ୍ଦ ।

ମିଶିଥିଲା ତବ ଦାରୁଣ ଲୋଚନେ କରୁଣା କୋମଳ ମନ୍ଦାକିନୀ

ଉଠୁଥିଲା ତବ ବଜ୍ର ବଚନେ ଧମନୀ ବିଦାରି ସୌଦାମିନୀ ।

ସେ କର ଚମକେ ଥରୁଥିଲା ବୁକୁ, ଥରୁଥିଲା ପଥେ ଅତ୍ୟାଚାରୀ

ଶିରେ ଦେଇ ତାର ଚରଣ ଆଘାତ ଚାଲିଲ ହେ ବୀର-ବ୍ରହ୍ମଚାରୀ ।

ନର କି ଅସୁର କି ଅବା ହେ ତୁମେ ରୁଦ୍ର ତନୟ କାର୍ତ୍ତିକେୟ

ରଚି କୋଟି ବୁକେ ମହା ଦାବାନଳ ଦେଖାଇଲ ଆସି କି ଅଭିନୟ !

ଭେରୀ ନାଦେ ତବ ଚମକିଲା ଧରା, ସୁରଲୋକେ ଅବା ପଶିଲା ଶଙ୍କା,

ହସି ହସି ଯୋଗି ! ଉଦ୍ଧାର କଲ ନିଷ୍ପେଷିତରେ ବଜାଇ ଢକ୍‍କା ।

 

କେତେ ନରମେଦ, ଅସ୍ଥି, ରୁଧିରେ କି ଯୋଗ ସାଧିଲ ଜାଣ ତ ଯୋଗୀ

ସେ ମଡ଼ା ଅଧରେ ହାସ୍ୟଉଠିଲା ତବ ଆଗମନ ବରଣ ଲାଗି ।

ସତେ ଯୋଗୀବର ! ଦୁଷ୍ଟ ଦାନବ ବୁକୁଚିରି କଲ ରୁଧିର ପାନ

ରୁଧିର-ଲିପ୍ତ କଣ୍ଠେ ତମରି ବାଜିଲା କିବା ସେ ବିଶ୍ଵଗାନ !

ସାମ୍ୟବାଦର ଯଜ୍ଞ ଦୁଆରେ, ତମରି ରକ୍ତ କେତନ ତଳେ

ହେଲେ ସମବେତ ଭକ୍ତ ସାଧକ ବାଧା ବନ୍ଧନ ବିଶୋରି ହେଳେ ।

ଟାଣିନେଇ କୋଳେ ଚୁମ୍ଵନ ଦେଲ ଅଗ୍ନି ଅଧରେ ମଧୁରେ ହସି

ଚକିତ ନୟନେ ଚାହିଁଥିଲେ ଖାଲି ସେ ଦିନ ପ୍ରଭାତେ ବିଶ୍ଵବାସୀ ।

 

ପ୍ରଳୟ ଯାତ୍ରୀ ! ପ୍ରଳୟ ଯାତ୍ରୀ ! ତବ ଗମ୍ଭୀର ମୂରତି ପାଶେ

ନତ ହିମାଚଳ ମେରୁ, ମନ୍ଦର, ଧ୍ରୁବତାରା ତୁମେ ସ୍ଵର୍ଗଦେଶେ ।

ଏ କି ହେ ବାରତା ଆଣିଥିଲ କାହୁଁ ସୁପ୍ତ ନୀରବ ମାନବ ଦ୍ଵାରେ

ଧକ୍‍କା ବାଜିଲା ମନ-ମନ୍ଦିରେ ଅବସାଦମୟ ଅନ୍ଧକାରେ ।

 

ଆସିଥିଲ କାହୁଁ ବିଦ୍ରୋହୀ ଋଷି ବାରତା ତମରି କରିନ ଶେଷ,

ଜଗତର ଆଜି ସିଂହଦୁଆରେ ହେଲା ଅବସାନ ଭୀଷ୍ମ ବେଶ ?

ଗଢ଼ିଥିଲ ଯେଉଁ ରକ୍ତ ମୁକୁଟ ଯାଇଚି କି ସତେ ଲୁଚି ତା ଆଜି,

ତବ ବୀର ତନୁ ଆବରିଛି ପରା ଏ ମର ଧରଣୀ ବାଲୁକାରାଜି ।

ସଂଗୀତ ତବ ମିଶିଛି ସମୀରେ, ଦୁମୁ ଦୁମୁ ଧରା ଥରୁଛି ଏବେ,

ଜାଣିହୁଏ ନାହିଁ କେତେ ଯୁଗ ପରେ ଅବସାନ ତାର ହେବ ଏ ଭବେ ।

ପଛେ ଏ ରହିଲା ବିଶାଳ ବିଶ୍ଵ; ଆଗେ କି ସୁଦୂର ଅଜଣା ଦେଶ,

ଚାଲିଗଲ ଖାଲି ରଖିଦେଇ ତବ ସେଦିନର ସେହି ଅଗ୍ନି-ବେଶ !’

 

୧୯୨୪

Image